ପି-୨୦ ସମ୍ମିଳନୀରେ ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଆତଙ୍କବାଦର ପରିଭାଷା ଉପରେ ସହମତି ନ ମିଳିବା ଦୁଃଖର ବିଷୟ

125

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି କି, ବିଶ୍ୱ ଆଜି ଯେଉଁ ସଂଘର୍ଷର ସାମ୍ନା କରୁଛି ସେଥିରୁ କାହାକୁ କିଛି ଲାଭ ମିଳିବ ନାହିଁ । ମାତ୍ର ବିଶ୍ୱ ମାନବତା ଆଧାରରେ ଆଗକୁ ବଢିବାର ଆବଶ୍ୟକତା ରହିଛି । ପି-୨୦ ସମ୍ମିଳନୀରେ ଏଭଳି ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି କି ବିଶ୍ୱସ୍ତରରେ ପରସ୍ପର ଉପରେ ବିଶ୍ୱାସ କରିବା ରାସ୍ତାରେ ଥିବା ପ୍ରତିବନ୍ଧକକୁ ଆମକୁ ଦୂର କରିବାକୁ ପଡିବ । ଏହା ଶାନ୍ତି ଓ ଭାଇଚାରା ସହ ଏକାଠି ଆଗକୁ ବଢିବାର ସମୟ ବୋଲି ପ୍ରଧାନମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ଆଜି ସାରା ବିଶ୍ୱ ସଂଘର୍ଷର ସାମ୍ନା କରୁଛି । ବିଭାଜିତ ବିଶ୍ୱ ମାନବିକତା ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଆହ୍ୱାନର ସମାଧାନ ସୁନିଶ୍ଚିତ କରିପାରିବ ନାହିଁ । ଏହା ଶାନ୍ତି ଓ ଭାଇଚାରାର ସମୟ ଏବଂ ଏକାଠି ଚାଲିବାର ସମୟ ମଧ୍ୟ । ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନ ଚରମପନ୍ଥୀ ସଂଗଠନ ହମାସ ଇସ୍ରାଏଲ ଉପରେ ଏକାଧିକ ଏୟାର ଷ୍ଟ୍ରାଇକ କରିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଜବାବ ଉପରେ ପ୍ରଧାନମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି । ପାଖାପାଖି ୨୦ ବର୍ଷ ତଳେ ଭାରତର ସଂସଦ ଭବନ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଭାରତ ସୀମାପାର ଆତଙ୍କବାଦର ସମ୍ମୁଖୀନ ହେଉଛି । ଯେଉଁଥିରେ ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଉଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି , ଆତଙ୍କବାଦ କେତେବଡ ଚ୍ୟାଲେଞ୍ଜ ତାହା ସାରା ବିଶ୍ୱ ଏବେ ଅନୁଭବ କରୁଛି । ଏହା ବିଶ୍ୱ ସମ୍ମୁଖରେ ସବୁଠାରୁ ବଡ ଆହ୍ୱାନ ଏବଂ ଏହାକୁ କଡାକଡି ଭାବେ ମୁକାବିଲା କରିବାକୁ ପଡିବ । ଆମକୁ ବିଶ୍ୱ ବିଶ୍ୱାସ ସଂକଟରୁ ମୁକୁଳି ମାନବ କେନ୍ଦ୍ରୀତ ଚିନ୍ତାଧାରାରେ ଆଗକୁ ବଢିବାକୁ ପଡିବ । ଆମକୁ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଭାବନରେ ଦୁନିଆକୁ ଦେଖିବାକୁ ପଡିବ । ଆମେ ବିଶ୍ୱ ପାଇଁ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଯେତେ ଅଧିକ ଅଂଶଗ୍ରହଣ କରିବୁ, ସମଗ୍ର ବିଶ୍ୱରେ ଆମର ପ୍ରଭାବ ସେତେ ଅଧିକ ରହିବ ବୋଲି ସେ କହିଛନ୍ତି ।