ପାକିସ୍ତାନ ଟାର୍ଗେଟରେ ଭାରତୀୟ ସେନା ବଙ୍କର ! ଜିପିଏସ୍ ଗାଇଡ଼େଡ଼୍ ମୋର୍ଟାର କିଣିବା ପାଇଁ ଯୋଜନା

99

କନକ ବ୍ୟୁରୋ : ପାକିସ୍ତାନ ଏବେ ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ରଚୁଛି । ପାକ୍ ସେନା ଭାରତୀୟ ସେନା ବଙ୍କର ନଷ୍ଟ କରିବା ପାଇଁ ଆଧୁନିକ ଜିପିଏସ୍ ଗାଇଡ଼େଡ଼୍ ମୋର୍ଟାର କିଣିବା ପାଇଁ ଯୋଜନା କରୁଛି । ଏହି ସ୍ୱତନ୍ତ୍ର ଏବଂ ଉନ୍ନତ ମୋର୍ଟାର୍ ଖରିଦ କରିବାକୁ ପାକିସ୍ତାନ ବର୍ତ୍ତମାନ ଅସ୍ତ୍ର ବଜାର ଅନ୍ୱେଷଣ କରୁଛି। କେତେକ ଇଉରୋପୀୟ ଦେଶ ଛଡ଼ା ଚୀନ୍ର ପାଖରେ ମଧ୍ୟ ଏ ଭଳି ମୋର୍ଟାର୍ ରହିଛି।

ଏହି ମୋର୍ଟାରର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ଜିପିଏସ୍ ସାହାଯ୍ୟରେ ଶତ୍ରୁ ଦେଶର ସେନାକୁ ନିଶାନା କରିହେବ । ୧୦୦ ମିଟର ଠାରୁ ଆରମ୍ଭ କରି ୫ କିମି ଲକ୍ଷ୍ୟଭେଦ କରିପାରିବ ମୋର୍ଟାର । ଏହି ମୋର୍ଟାର ଖରିଦ କରିବାକୁ ପାକିସ୍ତାନ ଖୁବ୍ ଆଗ୍ରହୀ । ସୁଲଭ ମୂଲ୍ୟରେ ଏହାକୁ ଖରିଦ କରିବା ନିମନ୍ତେ ରାଜିନାମା କରିବାକୁ ବିଶ୍ୱବ୍ୟାପୀ ତା’ର ରହିଥିବା ଦୂତାବାସଗୁଡ଼ିକୁ ନିର୍ଦେଶ ଦେଇଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ନିକ୍ଷେପ ପରେ ମଧ୍ୟ ଏହି ମୋର୍ଟାର୍ ଦିଗ ଓ ଲକ୍ଷସ୍ଥଳ ପରିବର୍ତ୍ତନ କରାଯାଇ ପାରିବ। ଅତୀତରେ ଆଫଗାନିସ୍ତାନରେ ତାଲିବାନ୍ମାନଙ୍କୁ ଆକ୍ରମଣ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଜିପିଏସ୍-ପରିଚାଳିତ ମୋର୍ଟାର୍ ବ୍ୟବହାର କରିଥିଲା।