ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲିଠାରୁ ନିଜ କାର୍ଯ୍ୟରୁ ଛଟେଇ ହେବେ ରାଜ୍ୟର ୮ ହଜାରରୁ ଅଧିକ ଶିକ୍ଷା ସହାୟକ । ଶିକ୍ଷକତା କରିବା ପାଇଁ ଗଣଶିକ୍ଷା ବିଭାଗ ରଖିଥିବା ଯୋଗ୍ୟତା ନଥିବା ଦର୍ଶାଇ ଏଭଳି ପଦକ୍ଷେପ ନେଇଛି ବିଭାଗ । ଓଡିଶା ଶିକ୍ଷକ ଦକ୍ଷତା ପରୀକ୍ଷା – ଓଟିଇଟିରେ ସେମାନେ କୃତକାର୍ଯ୍ୟ ହୋଇନାହାନ୍ତି ବା ଏହି ପରୀକ୍ଷା ଦେଇନଥିବା କହିଛି ଗଣଶିକ୍ଷା ବିଭାଗ । ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିଛି ଓଡିଶା ଶିକ୍ଷା ସହାୟକ ସଂଘ । ୨୦୧୧ରେ ଶିକ୍ଷା ସହାୟକ ନିଯୁକ୍ତ ବିଜ୍ଞାପନରେ ଦକ୍ଷତା ପରୀକ୍ଷା ନେଇ କୌଣସି ସୂଚନା ନଥିଲା । ବେଆଇନ ଭାବେ ଛଟେଇ କରାଯାଇଥିବାର ଅଭିଯୋଗ କରିଛି ସଂଘ ।
Kanak News is now on WhatsApp
Join and get latest news updates delivered to you via WhatsApp
୩୧.୦୩.୨୦୧୩ରେ ହାଇକୋର୍ଟ ଶିକ୍ଷକ ନିଯୁକ୍ତି ପାଇବା ପାଇଁ ଏକ ଦକ୍ଷତା ପରୀକ୍ଷା କରିବାକୁ ନିର୍ଦେଶ ଦେଇଥିଲେ । ଏହି ଆଧାରରେ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଓଟିଇଟି ପରୀକ୍ଷା ପରିଚାଳନା କରିଆସୁଚି । ୨୦୦ ମାର୍କ ର ଏହି ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ମାର୍କ ପାଇଥିବା ପରୀକ୍ଷାର୍ଥୀ ଶିକ୍ଷକ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିରେ ପଢଉଥିବା ବିଷୟ ଓ ଇଂରାଜୀକୁ ନେଇ ୨ଟି ପେପରର ପରୀକ୍ଷା ହୋଇଥାଏ । ଏହା ଶିକ୍ଷା ମାନ ବୃଦ୍ଧିରେ ସହାୟକ ହେବା ସହ ଦକ୍ଷତାର ଏକ ମାପକାଠି ବୋଲି ମତଦେଇଛନ୍ତି ଶିକ୍ଷାବିତ୍ ।
୨୦୧୧ର ନିଯୁକ୍ତି ବିଜ୍ଞାପନରେ ଓଟିଇଟି ଭଳି ଏକ ଯୋଗ୍ୟତା ନେଇ କୌଣସି ସର୍ତ ନଥିବାରୁ ସେମାନଙ୍କ ଛଟେଇ ବେଆଇନ ବୋଲି ମତ ଦେଇଛନ୍ତି ଓଡିଶା ଶିକ୍ଷାସହାୟକ ସଂଘ । ଏହାର ବିରୋଧରେ ମଙ୍ଗଳବାର ବିଧାନସଭା ଘେରାଉ କରିବାକୁ ସଂଘ ଦେଇଛି ଚେତାବନୀ ।