କରୋନାର ଅନ୍ତ ପାଇଁ କରିବାକୁ ହେବ ଏହି ଦୁଇଟି କାମ। ପଢନ୍ତୁ, କଣ କହିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ?

275

କନକ ବ୍ୟୁରୋ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱରେ ଭୟ ବୃଦ୍ଧି କରିବାରେ ଲାଗିଛି । ଗୋଟିଏ ପଟେ ବିଶ୍ୱରେ ପୁଣି କୋଭିଡ୍ ସଂକ୍ରମଣ ସୀମା ଡେଉଁଥିବାବେଳେ, ଦେଶରେ ମଧ୍ୟ ଗତ ୨୪ ଘଣ୍ଟା ଭିତରେ ପାଖାପାଖି ୨ ଲକ୍ଷ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଓମିକ୍ରନ୍ କଥା କହିଲେ, ଦେଶରୁ ଏବେ ସୁଦ୍ଧା ୪୮୬୮ ଓମିକ୍ରନ୍ କେସ୍ ଚିହ୍ନଟ ହୋଇସାରିଲେଣି । ଆଉ ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରମୁଖ ସୋମବାର କହିଛନ୍ତି ଯେ, ମହାମାରୀକୁ ଅନ୍ତ କରିବା ସମ୍ଭବ ହେଲେ ସେଥିପାଇଁ କିଛି ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ହୁ ଚିଫ୍ ଟେଡ୍ରୋସ୍ ଏଡନାମ କହିଛନ୍ତି, କୋଭିଡକୁ ନିଶ୍ଚୟ ହରାଇହେବ, ହେଲେ ଦୁନିଆର ସବୁ ସବୁ ସରକାର ଓ ଭ୍ୟାକ୍ସିନ ଉତ୍ପାଦକଙ୍କୁ କିନ୍ତୁ ଏଥିପାଇଁ କିଛି କାମ କରିବାକୁ ପଡିବ । ପ୍ରଥମଟି ହେଉଛି, ଯେଉଁ ଦେଶରେ ଭ୍ୟାକ୍ସିନ୍ ପହଞ୍ଚୁନାହିଁ, ହେଲେ ସେଠାରେ ସଂକ୍ରମଣ ବୃଦ୍ଧି ପାଉଛି ସେହି ଦେଶକୁ ଭ୍ୟାକ୍ସିନ୍ ଯୋଗାଣ କରାଯାଉ । ତା ସହିତ ଦ୍ୱିତୀୟ କଥାଟି ହେଉଛି ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ଆବଶ୍ୟକ ସମସ୍ତ ପ୍ରକାର ସଂଶାଧନକୁ ପୂରଣ କରାଯାଉ । ଆମେ ସେତେବେଳେ ସୁରକ୍ଷିତ ହୋଇପାରିବା, ଯେତେବେଳେ ଦୁନିଆର ପ୍ରତିଟି ବ୍ୟକ୍ତି ସୁରକ୍ଷିତ ରହିବେ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ହୁ ମୁଖ୍ୟ କହିଥିଲେ ଯେ, ପୃଥିବୀର କୌଣସି ଦେଶ ମହାମାରୀ କବଳରୁ ରକ୍ଷା ପାଇନାହିଁ । ଆମ ପାଖରେ କୋଭିଡକୁ ରୋକିବାକୁ କିମ୍ବା ଚିକିତ୍ସା କରିବାକୁ କୌଣସି ପ୍ରକାର ଉପକରଣ ନାହିଁ । ଭ୍ୟାକ୍ସିନର ଅସମାନତା (ବିଭିନ୍ନ ଛୋଟ ଛୋଟ ଦେଶରେ ଏବେ ବି ପହଞ୍ଚିଛି କରୋନା ଟିକା) ଯେତେ ଲମ୍ବା ସମୟ ପର୍ଯ୍ୟନ୍ତ ଜାରି ରହିବ, ସେତେ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ହୋଇପାରିବା ନାହିଁ ।

ସେ ଆହୁରି ମଧ୍ୟ କହିଥିଲେ ଯେ, କୋଭିଡ୍ ମହାମାରୀକୁ ଏବେ ତିନି ବର୍ଷ ପୂରା ହେବାକୁ ଯାଉଛି । ଯଦି ଆମେ ସମସ୍ତେ ମିଶିକରି ଲଢେଇ କରିବା ତେବେ ଆମେ ଏହାକୁ ହରାଇ ପାରିବା । ୨୦୨୨ ମଧ୍ୟଭାଗ ସୁଦ୍ଧା ବିଶ୍ୱର ପ୍ରାୟ ସବୁ ଦେଶ ନିଜ ଲୋକଙ୍କର ୭୦ ପ୍ରତିଶତ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ ।