ଆଜିଠୁ ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ପରୀକ୍ଷା ଖାତାଦେଖା : ମେ’ ସୁଦ୍ଧା ପରୀକ୍ଷା ଫଳ ବାହାରିବା ଉପରେ ଗୁରୁତ୍ୱ

168

କନକ ବ୍ୟୁରୋ : ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା । ଏଥିପାଇଁ ୧୦୪ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଖାତା ଦେଖାରେ ସାମିଲ ହେବେ ୧୫ ହଜାର ଅଧ୍ୟାପକ, ଅଧ୍ୟାପିକା । ପ୍ରଥମ ପର୍ଯ୍ୟାୟରେ ଅନଲାଇନରେ ମୂଲ୍ୟାୟନ ହେବ । ଏଥିରେ ପ୍ରାୟ ୩ ହଜାର ଓ ଅଫଲାଇନରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ । ବିଜ୍ଞାନ ଓ ଗଣିତ ବିଭାଗର ବିଷୟଗୁଡିକର ଇ-ମୂଲ୍ୟାୟନ ଲାଗି ୩୯ଟି କେନ୍ଦ୍ର କରାଯାଇଛି । ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦମୂଳକ ବିଷୟଗୁଡିକରେ ୬୫ଟି କେନ୍ଦ୍ର ହୋଇଛି । ଅନଲାଇନ୍ ମୂଲ୍ୟାୟନ ଚଳିତମାସ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଅଫଲାଇନ ମୂଲ୍ୟାୟନ ୨୧ ଯାଏ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ କଳା ବିଭାଗର ଇତିହାସ, ଅର୍ଥନୀତି, ଆଇଟି, ମନୋବିଜ୍ଞାନ, ସାମାଜିକ ବିଜ୍ଞାନ, ଭୂଗୋଳ, ପରିସଂଖ୍ୟାନ ପରି ୧୭ଟି ବିଷୟ, ବିଜ୍ଞାନ ବିଭାଗର ଇଂରାଜୀ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ଆଇଟି, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ ପରି ୧୮ଟି ବିଷୟ ଓ ବାଣିଜ୍ୟ ବିଭାଗର ଇଂରାଜୀ, ଓଡ଼ିଆ, ଏଇ, ବିଏମ୍‌ଏସ୍‌, ସିଏସି, ଏଫ୍‌ଏମ୍‌ଏ, ସିଏ, ବିଏସ୍‌ଇ ପରି ୧୪ଟି ବିଷୟର ମୂଲ୍ୟାୟନ କରାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୫ରୁ ମେ ୫ ମଧ୍ୟରେ ଅନଲାଇନ୍ ଓ ଏପ୍ରିଲ ୨୩ରୁ ମେ ୪ ମଧ୍ୟରେ ଅଫଲାଇନ୍ ଖାତା ଦେଖାହେବ । ଏହି ପର୍ଯ୍ୟାୟରେ  କଳା ବିଭାଗର ଇଂରାଜୀ, ‌ଓଡ଼ିଆ, ଗଣିତ, ରାଜନୀତି ବିଜ୍ଞାନ, ଶିକ୍ଷା, ଗୃହ ବିଜ୍ଞାନ ପରି ୨୭ଟି ବିଷୟ, ବିଜ୍ଞାନ ବିଭାଗର ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଗଣିତ ପରି ୨୪ଟି ବିଷୟ, ବାଣିଜ୍ୟର ୧୮ ଓ ଧନ୍ଦାମୂଳକ ବିଭାଗର ସମସ୍ତ ୧୮ଟି ବିଷୟର ମୂଲ୍ୟାୟନ କରାଯିବ । ମେ’ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି । ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି ଯେ ମୂଲ୍ୟାୟନକାରୀ ଅଧ୍ୟାପକମାନେ ନିର୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ । ପ୍ରତିଦିନର କାର୍ଯ୍ୟ ନ ସାରିବା ପର୍ଯ୍ୟନ୍ତ କେହି ବି କେନ୍ଦ୍ର ଛାଡ଼ିପାରିବେ ନାହିଁ । ଖାତା ଦେଖୁଥିବା ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ଟ୍ରର୍‌ରେ ଉଲ୍ଲେଖ କରାଯିବ । ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଜଣେ ମୂଲ୍ୟାୟନକାରୀ ପ୍ରଥମ ଦିନରେ ୫ଟି ଏବଂ ଦ୍ବିତୀୟ ଦିନ ୧୦ଟି ଉତ୍ତର ଖାତା ଦେଖିବେ । ପରବର୍ତ୍ତୀ ଦିନଗୁଡ଼ିକରେ ଜଣେ ମୂଲ୍ୟାୟନକାରୀ ଅତିବେଶିରେ ୧୫ଟି ଖାତା ଦେଖିପାରିବେ । ଯେଉଁମାନେ ଇ-ମୂଲ୍ୟାୟନ ସମ୍ପର୍କରେ ତାଲିମ ନେଇନାହାନ୍ତି, ସେମାନଙ୍କୁ ପ୍ରଥମ ଦିନ ତାଲିମ ଦିଆଯିବ ।