ଭିକାରୀଙ୍କ ତାଲିକାରେ ପଶ୍ଚିମବଙ୍ଗ ପ୍ରଥମ, ଲାକ୍ଷାଦ୍ୱୀପରେ ମାତ୍ର ୨ ଜଣ ଭିକାରୀ : ଜାଣନ୍ତୁ ଓଡିଶାରେ ଭିକାରୀଙ୍କ ସଂଖ୍ୟା କେତେ ?

95

ଦେଶରେ ଭିକ୍ଷା ବୃତ୍ତି କରିବା ଉପରେ ରୋକ ଲଗାଯିବାକୁ ନେଇ ବିଭିନ୍ନ ପ୍ରକାରର ଦାବି କରାଯାଏ । ତଥାପି ଦେଶରେ ୪ ଲକ୍ଷରୁ ବି ଅଧିକ ଭିକାରୀ ଅଛନ୍ତି । ସାମାଜିକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ତଥ୍ୟର ଖୁଲାସା ହୋଇଛି । ସାମାଜିକ କଲ୍ୟାଣ ମନ୍ତ୍ରୀ ଥାବରଚନ୍ଦ ଗେହଲୋତ ସମଗ୍ର ଭାରତରେ ଥିବା ଭିକାରୀଙ୍କ ଏକ ତାଲିକାକୁ ଲୋକସଭାରେ ଉପସ୍ଥାପିତ କରିଥିଲେ ।

ଏହି ତାଲିକାରେ ଭାରତରେ ପ୍ରାୟ ୪,୧୩,୭୬୦ ଭିକାରୀ ଥିବା ଜଣାପଡିଥିବା ବେଳେ ଏମାନଙ୍କ ମଧ୍ୟରୁ ୨,୨୧,୬୭୩ ପୁରୁଷ ଓ ୧,୯୧,୯୯୭ ମହିଳାଙ୍କ ସଂଖ୍ୟା । ଭିକାରୀଙ୍କ ସଂଖ୍ୟାରେ ପଶ୍ଚିମବଙ୍ଗ ସର୍ବାଗ୍ରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ଏବଂ ତୃତୀୟ ସ୍ଥାନରେ ବିହାର ରହିଛି । କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ପଶ୍ଚିମବଙ୍ଗର ଭିକାରୀଙ୍କ ସଂଖ୍ୟା ୮୧,୨୨୪ ରହିଥିବାବେଳେ ଏମାନଙ୍କ ମଧ୍ୟରୁ ୩୩,୦୮୬ ପୁରୁଷ ଏବଂ ୪୮,୧୫୮ ମହିଳା ଥିବା ଜଣାପଡିଛି । ସେହିଭଳି ଉତ୍ତରପ୍ରଦେଶରେ ମୋଟ ୬୫,୮୩୮ ସଂଖ୍ୟକ ଭିକାରୀ ରହିଥିବାବେଳେ ସେଥିରୁ ୪୧,୮୫୯ ପୁରୁଷ ଏବଂ ୨୩,୯୭୬ ମହିଳା ରହିଛନ୍ତି । ସେହିଭଳି ବିହାରରେ ମଧ୍ୟ ୨୯,୭୨୩ ଭିକାରୀ ରହିଥିବାବେଳେ ତନ୍ମଧ୍ୟରୁ ୧୪,୮୪୨ ପୁରୁଷ ଏବଂ ୧୪,୮୮୧ ମହିଳା ରହିଛନ୍ତି । ସେହିଭଳି ଓଡିଶା ଭିକାରୀ ତାଲିକାରେ ୨୧ ନମ୍ବରରେ ଅଛି । ଓଡିଶାରେ ମୋଟ ୧୭,୯୬୫ ସଂଖ୍ୟକ ଭି୍କାରୀ ଥିବାବେଳେ ସେଥିରୁ ୯୯୮୧ ପୁରୁଷ ଓ ୭୯୮୪ ମହିଳା ରହିଛନ୍ତି ।

ଭିକାରୀଙ୍କ ସଂଖ୍ୟାରେ ସର୍ବନିମ୍ନ ସ୍ତରରେ ରହିଛି ଲାକ୍ଷାଦ୍ୱୀପ । ଏଠାରେ କେବଳ ୨ ଜଣ ଭିକାରୀ ଅଛନ୍ତି । ଲୋକସଭାରେ ଉପସ୍ଥାପିତ ବିଲରେ ଆସାମ,ପଶ୍ଚିମବଙ୍ଗ ଏବଂ ମଣିପୁରରେ ପୁରୁଷ ଭିକାରୀଙ୍କ ତୁଳନାରେ ମହିଳା ଭିକାରୀଙ୍କ ସଂଖ୍ୟା ଅଧିକ ଅଛି ।