ଏନଜିଓ କର୍ମୀଙ୍କ କାରନାମା ! ସରକାରୀ କର୍ମଚାରୀଙ୍କୁ ଟଙ୍କା ସହ ଆଚାର ଖାଇବାକୁ କଲେ ବାଧ୍ୟ

33

ଅହମ୍ମଦାବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଦୁର୍ନୀତିରେ ଲିପ୍ତ ଥିବା ଦର୍ଶାଇ ଏକ ଏନଜିଓର କର୍ମୀମାନେ ଅହମ୍ମଦାବାଦ ପୌର ନିଗମ(ଏମସି)ର ଜଣେ ଅଧିକାରୀଙ୍କୁ ନଗଦ ଟଙ୍କା ସହ ଆଚାର ଖାଇବାକୁ ବାଧ୍ୟ କରିଛନ୍ତି । ଏପରିକି ଅଧିକାରୀ ଜଣଙ୍କ ବିରୋଧ କରିବାରୁ ତାଙ୍କ ପାଟିରେ ଜୋର ଜବରଦସ୍ତି ଏହାକୁ ଭର୍ତି କରିଥିଲେ । ଆଉ ଏସମସ୍ତ ଘଟଣା ଘଟିଛି ସ୍ଥାନୀୟ ଏକ ଟିଭି କ୍ୟାମେରା ସାମ୍ନାରେ ।

ଇଣ୍ଡିଆ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ , ଅହମ୍ମଦାବାଦ ପୌର ନିଗମର ଅତିରିକ୍ତ ମ୍ୟାନେଜର ଧର୍ମୀନ ବ୍ୟାସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ଏନଜିଓ ‘ଲୋକ ରକ୍ଷକ ସେବା ସମିତି’ର ସଦସ୍ୟ । ତେଣୁ ଏହି ଏନଜିଓର ୩୦ଜଣ କର୍ମୀ କ୍ୟାମେରା ସାମ୍ମ୍ନାରେ ତାଙ୍କୁ ନଗଦ ନୋଟ୍ ସହ ଆଚାର ଖାଇବାକୁ ବାଧ୍ୟ କରିଥିଲେ । ସେପଟେ ବ୍ୟାସଙ୍କ ଅଭିଯୋଗ ପରେ ୩୦ ଜଣ ଏନଜିଓ କର୍ମୀଙ୍କ ବିରୋଧରେ ଏକ ମାମଲା ରୁୁଜୁ କରିବା ସହ ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଉକ୍ତ ଏନଜିଓର ସଭାପତି ପୃଥବୀ ଭଟ୍ଟକୁ ଗିରଫ କରିଛି ପୋଲିସ ।

ତେବେ ଭଟ୍ଟ କହିଛନ୍ତି ଏଥିରେ କିଛି ଭୁଲ ନାହିଁ ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଭବିଷ୍ୟତରେ ମଧ୍ୟ ସେମାନେ ଏପରି କରିବେ । ଏହି ଘଟଣା ପୂର୍ବରୁ ସେମାନେ ଏମସିର ଅନ୍ୟ ଜଣେ ଅଧିକାରୀଙ୍କୁ ମଇଳା ପାଣି ପିଇବା ପାଇଁ ବାଧ୍ୟ କରିଥିଲେ ବୋଲି ଜଣାପଡିଛି ।