ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା: ଚାଳକଙ୍କ ପାଇଁ ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା

125

କନକ ବ୍ୟୁରୋ: ଡ୍ରାଇଭରଙ୍କୁ ଚା ପିଆଇବେ ସରକାର । ଏନ୍ଏଚ୍ରେ ରାତିରେ ମିଳିବ ମାଗଣା ଚା’ । ଭାରୀଯାନ ଚଳାଉଥିବା ଡ୍ରାଇଭରମାନଙ୍କୁ ମାଗଣାରେ ଚା’ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଏନ୍ଏଚ୍ରେ ଥିବା ଢ଼ାବାକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ସରକାରଙ୍କ ତରଫରୁ ଚାଳକଙ୍କୁ ମାଗଣାରେ ଚା’ ଦିଆଯିବା ସହ ସେଠାରେ ଡ୍ରାଇଭର ବିଶ୍ରାମ କରିପାରିବେ । ଦୀର୍ଘ ସମୟ ଧରି ଡ୍ରାଇଭିଂ କରୁଥିବା ଡ୍ରାଇଭରଙ୍କ ଅନେକ ସମୟରେ ଆଖି ଲାଗିଯାଏ । ଯାହା ଦ୍ୱାରା ଦୁର୍ଘଟଣା ଘଟେ । ଏସବୁ ଏଡ଼ାଇବାକୁ ଏଭଳି ନିଷ୍ପତି ନେଇଛନ୍ତି ପରିବହନ ମନ୍ତ୍ରୀ ।

ଜାତୀୟ ରାଜପଥରେ ବିଶେଷ କରି ରାତିରେ ବେଶି ଦୁର୍ଘଟଣା ଘଟିଥାଏ । ଯାନ୍ତ୍ରିକ ତ୍ରୁଟି ଛଡା ଲମ୍ବା ଯାତ୍ରା ଜନିତ ଥକ୍କା ଯୋଗୁଁ ଡ୍ରାଇଭରଙ୍କ ଆଖି ଲାଗିଗଲେ ଦୁର୍ଘଟଣା ଘଟେ, ଧନ ଜୀବନ ହାନି ହୁଏ ।

ରାତିରେ ଭାରିଯାନ ଚଳାଇ ଲମ୍ବା ଯାତ୍ରାରେ ବାହାରିଥିବା ଡ୍ରାଇଭରଙ୍କ ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଦୁର୍ଘଟଣା ଏଡାଇବାକୁ ନୂଆ ପଦକ୍ଷେପ ନେବାକୁ ଯାଉଛି ପରିବହନ ବିଭାଗ । ଏଣିକି ରାଜରାସ୍ତାରେ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ଭାରିଯାନର ଚାଳକଙ୍କୁ ରାସ୍ତାରେ ଅଟକାଇ ମାଗଣାରେ ଚା’ ଓ ବିଶ୍ରାମ ବ୍ୟବସ୍ଥା ଯୋଗାଇବ ପରିବହନ ବିଭାଗ । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆଉ ଜାତୀୟ ରାଜପଥ କଡରେ ଥିବା ଢାବାଗୁଡିକୁ ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ଚାପାନ ସହ ବିଶ୍ରାମ ନେବା ବ୍ୟବସ୍ଥା ରହିବ । ଏହି ବ୍ୟବସ୍ଥା ଆସନ୍ତା ଜାନୁଆରିରୁ ଲାଗୁ ହେବ ।

ରାତିରେ ଦୁର୍ଘଟଣା କେତେ ଭୟଙ୍କର ଏହା ଦେଖିବାକୁ ମିଳିଥିଲା କିଛି ଦିନ ତଳେ କେନ୍ଦୁଝରରେ । ଘଟଗାଁକୁ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ମିନିବସ ରାଜରାସ୍ତାରେ ଟ୍ରକ ସହ ପିଟି ହୋଇଥିଲା । ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଗଲା । ତେଣୁ ରାତିରେ ଯାତ୍ରା ବେଳେ ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗ ନେଇଥିବା ପଦକ୍ଷେପକୁ ଭାରିଯାନର ଭାରିଯାନର ଡ୍ରାଭରମାନେ ସ୍ୱାଗତ କରିଛନ୍ତି ।