ଚୌଦ୍ୱାର ଜେଲର ୩ନମ୍ବର ସେଲରେ ଗୋପାଳ ଦାସ : ଦିନ ସାରା ବହି ମ୍ୟାଗାଜିନ ପଢି କାଟୁଛି ସମୟ; ଖାଦ୍ୟ ପେୟ ବି ସ୍ୱାଭାବିକ ଥିବା ସୂଚନା

141

କନକ ବ୍ୟୁରୋ : ଚୌଦ୍ୱାର ଜେଲରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଜେଲର ତିନି ନମ୍ବର ସେଲରେ ଗୋପାଳ ଦାସଙ୍କୁ ରଖାଯାଇଛି । ସକାଳୁ ଖବର କାଗଜ ପଢିବା ପରେ ଗୋପାଳ ସକାଳ ଜଳଖିଆରେ ସହ ପୁରୀ, ମଟର ତରକାରୀ ଖାଇଥିଲା । ଏହାପରେ ଜେଲ କର୍ମଚାରୀଙ୍କୁ ମାଗାଜିନ ଓ ବହି ମାଗି ଦିନ ସାରା ପଢାପଢି କରିଥିବା ସୂଚନା ମିଳିଛି ।

ଗତକାଲି ଦିନରେ ତାକୁ ଭାତ, ଡାଲି, ଭଜା ଓ ଚିକେନ ତରକାରୀ ଖାଇବାକୁ ଦିଆଯାଇଥିଲା । ଗୋପାଳ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରିଥିବା ବେଳେ ଆଦୌ ବ୍ୟସ୍ତବିବ୍ରତ ନଥିବା ଜଣାପଡିଛି । ଜେଲ ଭିତରେ ଗୋପାଳର ହାଭଭାବ ନଜର ରଖିବା ସହ ତାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏକ ତିନି ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି । ଗୋପାଳ ପ୍ରକୃତରେ ମାନସିକ ରୋଗୀ କି ନାହିଁ ଯାଞ୍ଚ କରିବା ପାଇଁ ଜେଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ସେପଟେ ଜେଲରେ ଥିିବା ଗୋପାଳର ବିଭିନ୍ନ କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଜେଲର ମୁଖ୍ୟ ଗେଟରେ ପଶିବା ବେଳେ ଗୋପାଳ ହାତ ଯୋଡି ନମସ୍କାର କରିବା ଓ ଗେଟ ଡେଇଁବା ପରେ ମାଟିରେ ମୁଣ୍ଡ ଲଗାଇ ମୁଣ୍ଡିଆ ମାରୁଥିବା ଭିଡିଓ ସାମ୍ନାକୁ ଆସିଛି । ଜେଲକୁ ପ୍ରବେଶ ସମୟରେ ପୁଲିସ ଅଧିକାରୀଙ୍କ ହାତରୁ ବାହାରି ଆସି ଗୋପାଳ ମୁଣ୍ଡିଆ ମାରିବା ଘଟଣା ଉପସ୍ଥିତ ପୁଲିସ କର୍ମଚାରଙ୍କୁ ମଧ୍ୟ ଚକିତ କରିଛି ।