ରହସ୍ୟମୟ ଚାନ୍ଦିପୁର ବେଳାଭୂମୀ । ଆପେ ଆପେ ଗାଏବ ହୋଇଯାଏ ସମୁଦ୍ର, ଏବେ ବି କାରଣ ଖୋଜୁଛି ବିଜ୍ଞାନ

1,072

କନକ ବ୍ୟୁରୋ : ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଯାହା ଉପରୁ ଆଜି ଯାଏଁ ବି ପରଦା ଉଠି ପାରିନି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ ବିଚ୍ କଥା କହିବୁ ଯେଉଁ ବିଚରେ ପାଣି ଦିନକୁ ୨ ଥର ଗାୟବ ହୋଇଯାଇଥାଏ । ଆଉ ଗାୟବ ହେବାର କିଛି ସମୟ ପରେ ପୁଣି ଫେରିଆସେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ରହସ୍ୟମୟ ବିଚ୍ ଆଉ କେଉଁଠି ନୁହେଁ ଆମ ଓଡିଶାରେ ହିଁ ରହିଛି । ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବିଚରେ ପାଣି ଗାୟବ ହୋଇ ପୁଣି ଫେରିଆସିବା ବେଶ ଅଦ୍ଭୁତ । ଯାହାକୁ ଦେଖିବା ପାଇଁ ଏଠାରେ ଲୋକମାନଙ୍କ ବେଶ ଭିଡ ରହିଥାଏ ।

ସାରା ଭାରତରେ ବାଲେଶ୍ୱରର ଚାନ୍ଦିପୁର ବିଚ୍ ଏକ ନିଆରା ବିଚ୍ ଭାବେ ପରିଚିତ । ଆଖିସାମ୍ନାରେ ସମୁଦ୍ର ପାଣି ଏଠାରେ ଗାୟବ ହୋଇଯାଏ । ଆପଣ ଚାଲି ଚାଲି ପାଦେ ପାଣିରେ ୪ କିଲୋମିଟର ସମୁଦ୍ର ଭିତରକୁ ଯାଇ ବୁଲିବାର ମଜା ବି ନେଇ ପାରିବେ । ଏପରି ହେବାର କାରଣ ହେଉଛି ସମୁଦ୍ରରେ ଲୋ ଟାଇଡ ବା ଭଟ୍ଟା ଆସିଲେ ସମୁଦ୍ର ୧ରୁ ୪ କିମି ଯାଏଁ ଭିତରକୁ ଚାଲିଯାଏଁ । ଆଉ ଜୁଆର ଆସିଲେ ପୁଣି ଫେରିଆସେ । ସମୁଦ୍ରର ଅଭଳି ନିଆରା ପ୍ରାକୃତିକ ଦୃଶ୍ୟ ଏଠାରେ ଦିନକୁ ଦୁଇଥର ହୋଇଥାଏ । ସମୁଦ୍ରର ଏଭଳି ଅଦ୍ଭୁତ ଦୃଶ୍ୟକୁ ଦେଖିବା ପାଇଁ ଏଠାରେ ପର୍ଯ୍ୟଟକମାନଙ୍କ ବେଶ ଭିଡ ଦେଖିବାକୁ ମିଳିଥାଏ ।

ସମୁଦ୍ର ଗାଏବ ହୋଇଯିବା ଆଉ ପୁଣି ଫେରିଆସିବା ଘଟଣା ପାଇଁ ଏହି ଚାନ୍ଦିପୁର ବିଚକୁ କେହି କେହି ହାଇଡ ଆଣ୍ଡ ସିକ୍ ବିଚ ବୋଲି ମଧ୍ୟ କହିଥାନ୍ତି । ବିଶ୍ୱ ମାନଚିତ୍ରରେ ଚାନ୍ଦିପୁର ବିଚର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କେବଳ ଅଦ୍ଭୁତ ବିଚ୍ ପାଇଁ ନୁହେଁ ଏଠାରେ ଏମିତି ଅନେକ କିଛି ରହିଛି ଯାହା ଏହି ବିଚକୁ ପ୍ରସିଦ୍ଧ କରିଛି । ଜୈବ ବିବିଧତା ପାଇଁ ଏହି ବିଚ ବେଶ ଅନୁକୂଳ ରହିଥାଏ । ତେଣୁ ଏଠାରେ ବିରଳ ନାଲି କଙ୍କଡା ଦେଖାଯାଆନ୍ତି । ଏହାସହ ଅନେକ ସାମୁଦ୍ରିକ ଜୀବ ମଧ୍ୟ ଏଠାରେ ଦେଖିବାକୁ ମିଳନ୍ତି ।

ଚାନ୍ଦିପୁର ବେଳାଭୂମିଠାରେ ଭାରତୀୟ ସେନାର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ ଅଛି । ଏଠାରୁ ଆକାଶ, ଅଗ୍ନି, ଶୌର୍ଯ୍ୟ, ପୃଥିବୀ ଓ ବ୍ରହ୍ମୋସ ଭଳି ଅନେକ ପରମାଣୁ କ୍ଷମତାଧାରୀ ମିସାଇଲର ପରୀକ୍ଷଣ କରାଯାଇଛି । ତେବେ ଏହି ନିଆରା ବେଳାଭୂମି ପାଇଁ ଚାନ୍ଦିପୁର ବେଶ ପ୍ରସିଦ୍ଧ । ଏହି ପ୍ରାକୃତିକ ଘଟଣା ବିଷୟରେ ଅନେକ ଲୋକ ଏବେ ବି ଅଜଣା ଅଛନ୍ତି । ତେବେ ସାଧାରଣ ସମୁଦ୍ରଠାରୁ ଏହା ଭିନ୍ନ ହୋଇଥିବାରୁ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି । ଆଉ ସମୁଦ୍ରର ଏହି ଅଦ୍ଭୁଦ ଦୃଶ୍ୟକୁ ଦେଖିବାର ମଜା ନେଇଥାନ୍ତି ।