ଅର୍ଥ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟର ଝଟକା, ଜାମିନ ଆବେଦନ ଖାରଜ

308

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟ ପୁଣି ଏକ ଝଟକା ଦେଇଛନ୍ତି । ସତ୍ୟେନ୍ଦ୍ର ଜୈନଙ୍କ ତରଫରୁ ଆବେଦନ କରାଯାଇଥିବା ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବିଚାରପତି ଦିନେଶ କୁମାର ଶର୍ମାଙ୍କ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ବିରୋଧ କରିଥିଲା । ଇଡି ତରଫରୁ କୋର୍ଟରେ କୁହାଯାଇଥିଲା କି, ଯଦି ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ପ୍ରଦାନ କରାଯିବ ତେବେ ଏହି ମାମଲାରେ ସାକ୍ଷୀ ଥିବା ଲୋକଙ୍କ ଜୀବନ ପ୍ରତି ବିପଦ ଦେଖାଦେଇପାରେ । ଏହାସହ ଯାଂଚ ବି ପ୍ରଭାବିତ ହୋଇପାରେ ବୋଲି ଇଙ୍ଗିର ଓଳିଲ କୋର୍ଟରେ କହିଥିଲେ ।

ସୂଚନା ଥାଉକି, କିଛିଦିନ ପୂର୍ବରୁ ସମାନ ମାମଲାରେ ଜୈନ ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ । ହେଲେ ସେଠାରେ ବି ତାଙ୍କୁ କିଛି ଆଶ୍ୱସ୍ତି ମିଳିନଥିଲା । ସେପଟେ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ତରଫରୁ ଗତବର୍ଷ ମେ’ମାସ ୩୦ ତାରିଖରେ ଗିରଫ କରାଯାଇଥିଲା । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଓ ଅର୍ଥ ହେରଫେର କରିବା ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ପତ୍ନୀ ପୁନମ୍ ଓ ଅନ୍ୟ କିଛି ଲୋକଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଅଭିଯୋଗ ରହିଛି କି ସତ୍ୟେନ୍ଦ୍ର ଜୈନ ଦିଲ୍ଲୀରେ କିଛି ସେଲ କମ୍ପାନୀ କିଣିଛନ୍ତି ।

ଏହାସହ କୋଲକତାର ୩ ଜଣ ହାୱାଲା ଅପରେଟର୍ସଙ୍କ ସହାୟତାରେ ୫୪ ଟି ସେଲ କମ୍ପାନୀ ମାଧ୍ୟରେ ୧୬.୩୯ କୋଟି ଟଙ୍କାର ଅବୈଦ୍ଧ କଳାଧନ ଟ୍ରାନ୍ସଫର କରିଥିବା ଇଡି ଅଭିଯୋଗ କରିଛି । ଇଡି ତରଫରୁ ଜୈନଙ୍କ ପରିବାର ଓ ତାଙ୍କ ସହ ଜଡିତ କମ୍ପାନୀଙ୍କ ଠାରୁ ୪.୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।