ଦିନକ ପରେ ମାଟ୍ରିକ୍ ପରୀକ୍ଷା : ୨୮୧୮କେନ୍ଦ୍ର, ୬ଲକ୍ଷ ୮ହଜାର ପରୀକ୍ଷାର୍ଥୀ
କନକ ବ୍ୟୁରୋ : ଫେବ୍ରୁଆରି ୨୩ରୁ ଆରମ୍ଭ ହେବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା । ଏହା ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ମଧ୍ୟ ଆରମ୍ଭ ହୋଇ ମାର୍ଚ ୮ତାରିଖ ପର୍ଯ୍ୟନ୍ତ ଚାଲିବ । ସବୁଠୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଉଥିବା ଏହି ପରୀକ୍ଷା ପାଇଁ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ମୋଟ ୬ଲକ୍ଷ ୮ହଜାର ୫୩ ଜଣ ପରୀକ୍ଷାର୍ଥୀ ୨୮୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ମାଟ୍ରିକ୍ (ରେଗୁଲାର ଓ ଏକ୍ସରେଗୁଲାର)ରେ ୫ଲକ୍ଷ ୯୦ହଜାର ୩୬୦ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୧୩ ହଜାର ୯୭୮ଜଣ ଓ ମଧ୍ୟମା ପରୀକ୍ଷା ପାଇଁ ୩ହଜାର ୭୧୫ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ମାଟ୍ରିକ୍ ପରୀକ୍ଷା ପାଇଁ ୨୬୭୦ଟି, ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ୧୦୧ଟି ଓ ମଧ୍ୟମା ପାଇଁ ୪୭ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି । ଏହା ସହିତ ଅନୁଗୁଳ ଜେଲ୍ରେ ଜଣେ ଓ ଚୌଦ୍ୱାର ଜେଲ୍ରେ ୫ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ଉପକେନ୍ଦ୍ର ପ୍ରସ୍ତୁତ କରାଯାଇଛି । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ୩୦୨ଟି ନୋଡାଲ୍ ସେଣ୍ଟର ସ୍ଥିର ହୋଇଛି । ସେଥିମଧ୍ୟରେ ରହିଛି ୨୩ଟି ଥାନା । ସମ୍ବେଦନଶୀଳ ଜିଲ୍ଲା ଭାବେ ପରିଗଣିତ କନ୍ଧମାଳରେ ୭ଟି, କୋରାପୁଟରେ ୩ଟି, ମାଲ୍କାନାଗିରିରେ ୧୦ଟି ଓ ରାୟଗଡ଼ାରେ ୩ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି । ପ୍ରଥମ ପର୍ଯ୍ୟାୟର ପ୍ରଶ୍ନପତ୍ର (ତିନିଟି ଯାକ ଭାଷା ପେପର) ସମସ୍ତ ନୋଡାଲ ସେଣ୍ଟରରେ ପହଞ୍ଚିବା ସହିତ ତାହାକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନୋଡାଲ ସେଣ୍ଟରରେ ଦୁଇ ଜଣ ଶିକ୍ଷକ, ଜଣେ ଶିକ୍ଷା କର୍ମଚାରୀଙ୍କ ସହିତ ସଶସ୍ତ୍ର ପୁଲିସ୍ ମୁତୟନ ରହିଛନ୍ତି। ପ୍ରତି ପରୀକ୍ଷାର ପୂର୍ବଦିନ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ଯିବାର ବ୍ୟବସ୍ଥା କରାଯାଇଛି ।
ପରୀକ୍ଷା ପରିଚାଳନା କରିବା ସହିତ ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି କେନ୍ଦ୍ରୀୟ ସ୍କ୍ଵାଡ୍ ଗଠନ କରାଯାଇଛି । ଏହା ସହିତ ଜିଲ୍ଲା ଶିକ୍ଷାଧିକାରୀଙ୍କ ସ୍ତରରେ ୫୮ଟି ସ୍କ୍ଵାଡ୍ ଗଠନ କରାଯାଇଛି । ଏହା ବ୍ୟତୀତ ପ୍ରତି ଜିଲ୍ଲାର ଜିଲ୍ଲାପାଳ, ଏସ୍ପି, ତହସିଲ୍ଦାରଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଚାନକ ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନ କରି ପରୀକ୍ଷା ବ୍ୟବସ୍ଥା ଯାଞ୍ଚ କରିପାରିବେ ବୋଲି ମୁଖ୍ୟ ଶାସନସ୍ତରୀୟ ବୈଠକରେ ସ୍ଥିର ହୋଇଛି । ଦୀର୍ଘ ବର୍ଷ ପରେ ପୁଣି ଅନ୍ୟ ସ୍କୁଲରେ ପରୀକ୍ଷା କେନ୍ଦ୍ର ହେଉଥିବାରୁ ସକାଳୁ ଟ୍ରାଫିକ୍ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସ୍କ୍ଵାଡ୍ରେ ସାମିଲ୍ କରାଯାଇଥିବା ଅଧ୍ୟାପକ ଓ ସଦସ୍ୟ ମାନଙ୍କୁ ବୋର୍ଡ ପକ୍ଷରୁ ତାଲିମ୍ ଦିଆଯାଇଛି । ଏହି ସ୍କ୍ଵାଡରେ ଯେଉଁମାନଙ୍କ ନାମ ରହିଛି, ସେମାନଙ୍କ ମଧ୍ୟରୁ ବିନା ଅନୁମତିରେ ଅନୁପସ୍ଥିତ ଥିବା ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ କହିଛନ୍ତି ।
କାର୍ଯ୍ୟସୂଚୀ ଅନୁଯାୟୀ ମାଟ୍ରିକ୍ (ରେଗୁଲାର/ଏକ୍ସରେଗୁଲାର) ପାଇଁ ଫେବ୍ରୁଆରି ୨୩ ତାରିଖ ଶୁକ୍ରବାର ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ), ୨୬ତାରିଖ ସୋମବାର ଦ୍ୱିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା), ୨୮ ତାରିଖ ବୁଧବାର ତୃତୀୟ ଭାଷା (ସଂସ୍କୃତ, ହିନ୍ଦୀ, ଓଡ଼ିଆ, ପାର୍ସି), ମାର୍ଚ ୩ ତାରିଖ ଶନିବାର ଗଣିତ, ୪ତାରିଖ ରବିବାର ପ୍ରାକ୍ଟିକାଲ୍ (ଭିଜୁୁଆଲ୍ ଆର୍ଟ), ୬ ମଙ୍ଗଳବାର ବିଜ୍ଞାନ, ୮ତାରିଖ ଗୁରୁବାର ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ଏସମସ୍ତ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ରେ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ମିନିଟ୍ ମିଳୁଥିବାରୁ ଏହି ପରୀକ୍ଷା ସକାଳ ୯ଟାରୁ ୧୧ଟା ୪୫ରେ ଶେଷ ହେବ । ପରୀକ୍ଷାର୍ଥୀମାନେ ସକାଳ ୮ଟା ୧୫ରେ କେନ୍ଦ୍ରରେ ପ୍ରବେଶ କରିବେ, ୮.୩୦ରେ ସେମାନଙ୍କୁ ଓଏମ୍ଆର୍ ସିଟ୍, ୮.୪୫ରେ ଉଭୟ ସଂକ୍ଷିପ୍ତ ଓ ଦୀର୍ଘଉତ୍ତରମୂଳକ ପ୍ରଶ୍ନପତ୍ର ପ୍ରଦାନ କରାଯିବ ଓ ୯ଟାରେ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ସଂକ୍ରାନ୍ତ ସମସ୍ତ ସୂଚନା ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପରୀକ୍ଷା କେନ୍ଦ୍ରର ସମସ୍ତ ସୂଚନା ପରୀକ୍ଷା ସରିବା ପରେ ଅନ୍ଲାଇନ୍ରେ ଛଡ଼ାଯିବାର ବ୍ୟବସ୍ଥା ହୋଇଛି ।