ଲାଲବାହୀନିର ଚାଲାକି: ଚକମା ଦେବାକୁ ପୋଷାକ ଅସ୍ତ୍ର !

90

କନକ ବ୍ୟୁରୋ: ସାମ୍ନାକୁ ଆସିଛି ମାଓବାଦୀଙ୍କ ନୂଆ ଚାଲ । ଯବାନଙ୍କୁ ଚକମା ଦେବା ପାଇଁ ଲାଲ୍ବାହୀନି ବ୍ୟବହାର କରୁଛି ସ୍ନାଇଫର୍ ଜ୍ୟାକେଟ । ଘଂଚ ଜଙ୍ଗଲରେ ସ୍ନାଇଫର ଜ୍ୟାକେଟ ବ୍ୟବହାର କରି ଜବାନଙ୍କୁ ଟାର୍ଗେଟ କରୁଛି ଲାଲବାହୀନି । ଯେଉଁ ସ୍ନାଇଫର ପୋଷାକ ସେନାର ଯବାନମାନେ ବ୍ୟବହାର କରନ୍ତି, ତାହା ଏବେ ମାଓ ଶିବିରରୁ ଜବତ ହୋଇଛି । ଯାହା ସୁରକ୍ଷା କର୍ମୀଙ୍କ ଚିନ୍ତା ବଢାଇଦେଇଛି ।

ଯେଉଁ ପୋଷାକକୁ ସେନାରେ ଯବାନ ବ୍ୟବହାର କରନ୍ତି, ସେଇ ପୋଷାକ ଏବେ ମାଓବାଦୀଙ୍କ ଶିବିରରୁ ଜବତ ହୋଇଛି । ସର୍ଚ୍ଚ ଅପରେସନ୍ ବେଳେ ମାଓ ଶିବିରିରୁ ସ୍ନାଇଫର ଜ୍ୟାକେଟ୍ ମିଳିବା ଯବାନଙ୍କ ସୁରକ୍ଷା ଚିନ୍ତା ବଢାଇ ଦେଇଛି । ଶୁକ୍ରବାର ସୁକୁମା ଜିଲ୍ଲା କଂଗାଲତୋଙ୍ଗ ଜଂଗଲରେ କୁମ୍ବିଂ ଅପରେଶନ ଆରମ୍ଭ କରି ଥିଲେ ଛତିଶଗଡ ଡିଆରଜି, ବସ୍ତର ଫାଇଟର୍ସ ସମେତ ଆଇଟିବିପି ଯବାନ । ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇ ଥିଲେ ଲାଲବାହୀନି । ଆଉ ଘଟଣା ସ୍ଥଳରେ ମାଟି ତଳୁ ମାଓବାଦୀଙ୍କ ଡମ୍ପକୁ ଠାବ କରିଥିଲେ ସୁରକ୍ଷାକର୍ମୀ । ତେବେ ଡମ୍ପରେ ବିପୁଳ ପରିମାଣର ଅସ୍ତ୍ରସସ୍ତ୍ର ସମେତ ଏପରି ତିନୋଟି ସ୍ନାଇଫର ଜ୍ୟାକେଟ ଜବତ ହୋଇଛି ।

ପୂର୍ବରୁ ମାଓବାଦୀମାନେ ଖଣ୍ଡିଆଭୁତରେ ନକଲି ବନ୍ଧୁକ ଖଂଜି ଯବାନମାନଙ୍କୁ ଚକମା ଦେବାର ନଜିର୍ ରହିଛି । ଘଂଚ ଜଂଗଲରେ ସ୍ପାଇକ୍ ହୋଲ୍, କ୍ଲେମର ମାଇନ୍ ଆଦି ଖଂଜି ଯବାନଙ୍କୁ ଟାର୍ଗେଟ୍ କରିବାର ଏକାଧିକ ଉଦହାରଣ ରହିଛି । ଏଥି ସହ ବିଦେଶୀ ଅସ୍ତ୍ରଶସ୍ତ୍ର, ହ୍ୟାଣ୍ଡ ଗ୍ରେନେଡ ଓ ଚିନ୍ ନିର୍ମିତ ବାଇନୋକୁଲାର୍ ମାଓ ଶିବିରରୁ ଜବତ ହେବା ପ୍ରମାଣ କରୁଛି, ମାଓ ସଙ୍ଗଠନର ବିଦେଶୀ ଲିଙ୍କ୍ ରହିଥାଇପାରେ ।

ଛତିଶଗଡରେ ବିଜେପି ସରକାର ଆସିବା ପରେ ଗତ ୧୨୦ଦିନରେ ୧୩୦ରୁ ଉଦ୍ଧ୍ୱର୍ ମାଓବାଦୀଙ୍କ ନିପାତ କରିବାରେ ସଫଳ ହୋଇଛନ୍ତି ଯବାନ । ଏମିତି କି ନିୟମିତ ବ୍ୟବଧାନରେ ଏନକାଉଂଟର୍’ ର ଖବର ଆସୁ ଥିବା ବେଳେ ମାଓ ଶିବିରରୁ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି ।