ରାଜ୍ୟରେ ଯେତିକି ଖଣିଜ ପଦାର୍ଥ ଅଛି ଓଡ଼ିଶା ଦେଶର ଅଷ୍ଟ୍ରେଲିଆ ହୋଇପାରିବ । ଜାଣନ୍ତୁ ଓଡ଼ିଶାକୁ ନେଇ କଣ କହିଲେ ନୀତି ଆୟୋଗ ଉପାଧ୍ୟକ୍ଷ ।

165

କନକ ବ୍ୟୁରୋ : ଆଜି ୩ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ପ୍ରଥମ ଦିନରେ ‌‌ସେ ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଏବଂ ବିକାଶ ପଥରେ ଆଗେଇ ଚାଲିଥିବା ଓଡ଼ିଶାକୁ ଆହୁରି କିପରି ଆଗକୁ ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିପରି ମିଶି ବିକାଶ ଦିଗରେ କାର୍ଯ୍ୟ କରିପାରିବେ ସେ ନେଇ ଆଲୋଚନା ହୋଇଛି।

ବୈଠକ ପରେ ରାଜୀବ କୁମାର କହିଛନ୍ତି ଯେ, ଆଲୋଚନା ସମୟରେ ରାଜ୍ୟ ସରକାର ବହୁ ପ୍ରସଙ୍ଗ ଉଠାଇଛନ୍ତି। ଏହାର ସମାଧାନ କରିବା ଦିଗରେ ପ୍ରୟାସ କରାଯିବ। ସମସ୍ୟାର ସମାଧାନ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି। ୨୦୧୧-୨୦୨୦ ମଧ୍ୟରେ ଦେଶ ତୁଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢ଼ିଛି। କୁ ପୋଷଣ କ୍ଷେତ୍ରରେ ରାଜ୍ୟ ଭଲ କାମ କରିଛି। ବିକାଶକୁ ଅଭିବୃଦ୍ଧି,ଗରିବ ଲୋକଙ୍କ ପାଇଁ କାର୍ଯ୍ୟ ସହ ଆକାଂକ୍ଷୀ ଜିଲ୍ଲାରେ ଭଲ କାର୍ଯ୍ୟ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଲୋଚନା ହୋଇଛି। ସ୍ପେଶାଲ ଡେଭଲପମେଣ୍ଟ କାଉନ୍ସିଲ ମନିଟର ୟୁନିଟକୁ ପରାମର୍ଶ ଦେଇଛୁ। ରାଜ୍ୟରେ ଖଣିଜ ପଦାର୍ଥ ଭରି ରହିଛି। ଯେତିକି ଖଣିଜ ପଦାର୍ଥ ଅଛି ଓଡ଼ିଶା ଦେଶର ଅଷ୍ଟ୍ରେଲିଆ ହୋଇପାରିବା ସହ ରାଜ୍ୟକୁ ଅଧିକ ନିବେଶ କିପରି ଆସିବ ସେ ନେଇ ପଦକ୍ଷେପ ନିଆଯିବ।

ଏହି ବୈଠକରେ ଓଡ଼ିଶା ପାଇଁ ଅନେକ ଦାବି ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ବହୁତ ଉନ୍ନତି କରିଛି । ତେବେ ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟର ବିକାଶ ପାଇଁ ନୀତି ଆୟୋଗର ସହାୟତା ଆବଶ୍ୟକ ବୋଲି କହିଛନ୍ତି ନବୀନ । ଓଡ଼ିଶା ସବୁବେଳେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି । କିନ୍ତୁ ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ । ତେଣୁ ଏ ଦିଗରେ ଦୃଷ୍ଟି ଦେବାକୁ ନୀତି ଆୟୋଗ ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।