ମଣିପୁର ହିଂସା ଭିତରେ ରାଜ୍ୟ ଛାଡୁଛନ୍ତି ଲୋକେ: ୨୫ ହଜାର ଟଙ୍କାରେ ବିକ୍ରି ହେଉଛି ୨୫ ଶହ ଟଙ୍କାର ବିମାନ ଟିକେଟ

536

କନକ ବ୍ୟୁରୋ: ହିଂସାପ୍ରବଣ ମଣିପୁରରୁ ତୁରନ୍ତ ପଳାଇଯିବାକୁ ‌ଶହ ଶହ ଜନତା ତତ୍ପରତା ପ୍ରକାଶ କରିଥିବାରୁ ଇଣ୍ଡିଗୋ ଏବଂ ଏୟାର୍‌ଏସିଆ ସମେତ କେତେଗୁଡ଼ିଏ ଏୟାରଲାଇନ୍‌ ସେମାନଙ୍କର ବିମାନଯାତ୍ରା ବାବଦ ଶୁଳ୍କ ବୃଦ୍ଧି କରିଛନ୍ତି । ହଠାତ୍‌ ଯାତ୍ରୀମାନଙ୍କର ଚାହିଦା ବୃଦ୍ଧି ପାଇଥିବାରୁ ଟିକେଟ୍‌ର ମୂଲ୍ୟ ବୃଦ୍ଧି ପାଇଥିବା କଥା ଏୟାର୍‌ଲାଇନ ସବୁ କହିଛନ୍ତି।

ସାଧାରତଃ, ଇମ୍ଫାଲ୍‌ ଓ କୋଲ୍‌କାତା ମଧ୍ୟରେ ଆତଯାତ ‌କରୁଥିବା ବିମାନର ଭଡ଼ା ୨,୫୦୦ରୁ ୫୦୦୦ ଟଙ୍କା ପଡ଼େ। ଇମ୍ଫାଲ୍‌ରୁ ଗୌହାଟି ଯିବା ପାଇଁ ବି ଭଡ଼ା ବାବଦକୁ ଉପରୋକ୍ତ ଦେୟ ପଡ଼ିଥାଏ। କିନ୍ତୁ, ଦୂରତ୍ବ ହିସାବରେ ଦେଖିଲେ, ଇମ୍ଫାଲ୍‌ରୁ କୋଲ୍‌କାତା ୬୧୫ କିଲୋମିଟର୍‌ ହୋଇଥିବା ବେଳେ ଇମ୍ଫାଲ୍‌ରୁ ଗୌହାଟିର ଦୂରତ୍ବ ୨୬୯ କିଲୋମିଟର୍‌।

କିନ୍ତୁ, ମେ ୩ ତାରିଖରୁ ମଣିପୁରରେ ଆଦିମ ଅଧିବାସୀ ଘଟଣାଜନିତ ସଂଘର୍ଷ ବ୍ୟାପିବା ପରଠାରୁ ଇମ୍ଫାଲ୍‌ରୁ କୋିଲ୍‌କାତାକୁ ବିମାନ ଟିକେଟର୍‌ ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ଏବେ ଇମ୍ଫାଲ୍‌ରୁ କୋଲ୍‌କାତା ଯିବା ପାଇଁ ବିମାନ ଟିକେଟ୍‌ ବାବଦକୁ ୧୨,୦୦୦ରୁ ୨୫,୦୦୦ ଟଙ୍କା ବ୍ୟୟ କରିବାକୁ ପଡୁଛି। ସେହିପରି, ଇମ୍ଫାଲ୍‌ରୁ ଗୌହାଟି ଯିବା ପାଇଁ ବିମାନ ଟିକେଟର ମୂଲ୍ୟ୧୫,୦୦୦କୁ ବୃଦ୍ଧି ପାଇଛି। ମେ ୧୨ ତାରିଖ ପର୍ୟ୍ୟନ୍ତ ବର୍ଦ୍ଧିତ ଟିକେଟ ମୂଲ୍ୟ ବଳବତ୍ତର ରହିବ ବୋଲି ‘ମେକ୍‌ମାଇଟ୍ରିପ୍‌’ ଟିକେଟ୍‌ ବୁକିଙ୍ଗ୍‌ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।