ସୁପ୍ରିୟା ସୁଲେଙ୍କୁ ମିଳିବ କି ଏନସିପିର ଅଧ୍ୟକ୍ଷ ପଦ? ଜାଣନ୍ତୁ କଣ ଉତ୍ତର ଦେଲେ ଶରଦ ପାୱାର?

109

କନକ ବ୍ୟୁରୋ : ଏନସିପିର ଅଧ୍ୟକ୍ଷ ଭାବେ ପୁଣି ଦାୟିତ୍ୱ ଗ୍ରହଣ କରିଛନ୍ତି ଶରଦ ପାୱାର । ତେବେ ଆଗାମୀ ଦିନରେ ଏନସିପିର ଅଧ୍ୟକ୍ଷ ଭାବେ କିଏ ଦାୟିତ୍ୱ ଗ୍ରହଣ କରିବେ ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ । ଅଜିତ ପାୱାର ନା ସୁପ୍ରିୟା ସୁଲେ । କାହାକୁ ନିଜର ଉତ୍ତରାଧିକାରୀ ଘୋଷିତ କରିବେ ଶରଦ ପାୱାର । ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ଶରଦ ପାୱାର ବଡ ବୟାନ ଦେଇଛନ୍ତି । ଶରଦ କହିଛନ୍ତି, ସୁପ୍ରିୟା ସୁଲେ ଏବେ ଦଳର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବାକୁ ଇଚ୍ଛୁକ ନୁହନ୍ତି । ସୁପ୍ରିୟା ଏବେ ଲୋକସଭା ନିର୍ବାଚନ ଉପରେ ଧ୍ୟାନକ୍ରେନ୍ଦିତ କରିବାକୁ ଚାହିଁଛନ୍ତି । କାରଣ ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ବର୍ଷେରୁ କମ ସମୟ ରହିଛି । ଶରଦଙ୍କ ଏହି ବୟାନ ସହ ଏନସିପି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

ସୁପ୍ରିୟା ସୁଲେ ମହାରାଷ୍ଟ୍ରର ବାରମତୀ ଆସନରୁ ୩ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରତି ନିର୍ବାଚନରେ ତାଙ୍କର ବିଜୟ ବ୍ୟବଧାନ ବଢି ବଢି ଚାଲିଛି । ଏପରିକି ପ୍ରତି ନିର୍ବାଚନରେ ଭୋଟ ସଂଖ୍ୟା ବଢିଚାଲିଛି । ଅନ୍ୟପଟେ ସୁପ୍ରିୟା ସୁଲେଙ୍କ ଆସନ ଉପରେ ବିଜେପିର ନଜର ରହିଛି । ରାହୁଲଙ୍କ ଆସନରେ ଯେମିତି ବିଜେପି ଧସେଇ ପଶିଥିଲା ଠିକ୍ ସେହିଭଳି ମହାରାଷ୍ଟ୍ର ରାଜନୀତିରେ ପାୱାର ପରିବାରକୁ ଦୁର୍ବଳ କରିବାକୁ ସୁପ୍ରିୟା ସୁଲେଙ୍କ ନିର୍ବାଚନମଣ୍ଡଳୀକୁ ଅଧିକ ଫୋକସ କରିଛି ବିଜେପି । ବିଜେପିର ଏଭଳି ଆଭିମୁଖ୍ୟ କାରଣରୁ ସୁପ୍ରିୟା ନିଜ ନିର୍ବାଚନମଣ୍ଡଳୀକୁ ଅଧିକ ସମୟ ଦେବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ଦଳର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବାକୁ ସୁପ୍ରିୟା ଅନିଚ୍ଛୁକ ରହିଛନ୍ତି ।