ପୁରସ୍କାର ବଦଳରେ ତିରସ୍କାର ! ଅଧିକ ସମୟ କାମ କରୁଥିବାରୁ ଚାକିରିରୁ ବାହାର କରିଦେଲା କମ୍ପାନି

40

ସାଧାରଣତଃ ଅଫିସରେ ଅଧିକ ସମୟ କାମ କଲେ ମାଲିକ ଖୁସି ହୋଇଥାନ୍ତି । ଅଧିକ ଘଣ୍ଟା କାମ କରୁଥିବା କର୍ମଚାରୀ ମଧ୍ୟ ମାଲିକଙ୍କ ପ୍ରିୟପାତ୍ର ହୋଇଥାନ୍ତି । ଏପରିକି କମ୍ପାନି ପାଇଁ ଅଧିକ କାମ କରୁଥିବା କର୍ମଚାରୀଙ୍କୁ ମାଲିକ ବିଭିନ୍ନ ସମୟରେ ଉପହାର ଦେବା ସହ କମ୍ପାନିରେ ପଦୋନ୍ନତି ମଧ୍ୟ ଦେଇଥାନ୍ତି । କିନ୍ତୁ କମ୍ପାନି ପାଇଁ ଅଧିକ କାମ କରିବା ଜଣେ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ମାଲିକ ଖୁସି ହେବା ପରିବର୍ତ୍ତେ ତାଙ୍କୁ ଚାକିରିରୁ ବିତାଡିତ କରିଛନ୍ତି । ଏଭଳି ଘଟଣା ସ୍ପେନର ବାର୍ସିଲୋନାରେ ଦେଖିବାକୁ ମିଳିଛି ।

କମ୍ପାନି ପାଇଁ ଅଧିକ ସମୟ କାମ କରିବା ମହଙ୍ଗା ପଡିଛି କର୍ମଚାରୀଙ୍କୁ । ଏଥିପାଇଁ ହାତରୁ ଚାଲିଯାଇଛି ଚାକିରି । ସୁପରମାର୍କେଟରେ କାମ କରୁଥିବା ଜିନ ପି କମ୍ପାନି ପାଇଁ ଅଧିକ ସମୟ ଧରି କାମ କରୁଥିବାରୁ ଚାକିରି ହରାଇଛନ୍ତି । ଡ୍ୟୁଟି ଆରମ୍ଭ ହେବା ପୂର୍ବରୁ ପ୍ରତିଦିନ ଜିନ୍ ପହଞ୍ଚିଯାଉଥିଲେ ଅଫିସରେ । ଏପରିକି ଡ୍ୟୁଟି ସମୟ ସରିବା ପରେ ମଧ୍ୟ ଅଫିସରେ କାମ କରୁଥିଲେ ସେ । ପ୍ରତିଦିନ ୫ଟାରୁ ଅଫିସ ଯାଇ ଶିଫ୍ଟ ସରିବା ପରେ ମଧ୍ୟ କାମ କରୁଥିଲେ ଜିନ୍ । ଏଥିପାଇଁ ଅଧିକ ଦରମା କିମ୍ବା ଓଭରଟାଇମ କରିବା ବାବଦକୁ ଟଙ୍କା ମିଳୁନଥିଲା ତାଙ୍କୁ । କିନ୍ତୁ ଜିନ ଅଧିକ ସମୟ ଧରି କାମ କରିବା କମ୍ପାନିର ନିୟମକୁ ଉଲ୍ଲଘଂନ କରୁଥିଲା । ତା ଛଡା ବିନା ଟଙ୍କାରେ ଓଭରଟାଇମ କାମ କରିବା ମଧ୍ୟ କମ୍ପାନି ନିୟମ ବିରୋଧ ଥିଲା । ଏହି ଦୁଇଟି କାରଣ ପାଇଁ ଜିନଙ୍କୁ ଚାକିରି ହରାଇବାକୁ ପଡିଛି ।

ତେବେ ଚାକିରି ଯିବା ପରେ ଆଇନଗତ ଲଢେଇ କରିବାକୁ ନିଷ୍ପତି ନେଇଚନ୍ତି ଜିନ୍ । ପୂର୍ବ ମାଲିକଙ୍କ ବିରୋଧରେ କୋର୍ଟକୁ ଯିବାକୁ ନିଷ୍ପତି ନେଇଛନ୍ତି ସେ । ଜିନଙ୍କ ଓଳିଲଙ୍କ କହିବା ଅନୁଯାୟୀ, ଜିନ ଏହି କମ୍ପାନିରେ ଦୀର୍ଘ ୧୨ ବର୍ଷ ଧରି କାମ କରି ଆସୁଛନ୍ତି । କିନ୍ତୁ ଅଧିକ ସମୟ ଅଫିସରେ କାମ କରୁଥିବା ନେଇ କେବେ ତାଙ୍କ ମାଲିକ ପ୍ରଶ୍ନ ଉଠାଇନାହାନ୍ତି । କମ୍ପାନି ଜିନିଷ ବିକ୍ରି କରିବା ପାଇଁ ଜିନଙ୍କୁ ଟାର୍ଗେଟ ଦିଆଯାଉଥିଲା । କେବଳ କମ୍ପାନିର ଟାର୍ଗେଟ ପୂରଣ କରିବାକୁ ଜିନ ଅଫିସକୁ ଶୀଘ୍ର ଆସି ଡେରିରେ ଯାଉଥିଲେ । ଯାହାର ଲାଭ କମ୍ପାନି ପାଉଥିଲା । କିନ୍ତୁ କମ୍ପାନି ପାଇଁ ନିଷ୍ଠାପର ଭାବେ କାମ କରିବା ତାଙ୍କୁ ମହଙ୍ଗା ପଡିଛି । ହାତରୁ ଚାଲିଯାଇଛି ଚାକିରି ।