ସାଧାରଣ ଦର୍ଶନ ପାଇଁ ଖୋଲିଲା ସିଂହଦ୍ୱାର : ଟିକାର ଦୁଇଟି ଡୋଜ୍ କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିବା ଶ୍ରଦ୍ଧାଳୁଙ୍କୁ ମିଳିଲା ପ୍ରବେଶ ଅନୁମତି

ସେପଟେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ମା ସମଲେଶ୍ୱରୀଙ୍କ ଦ୍ୱାର

88

କନକ ବ୍ୟୁରୋ : କଟକଣା କୋହଳ ପରେ ସାଧାରଣ ଦର୍ଶନ ପାଇଁ ଆଜିଠାରୁ ଖୋଲିଛି ଶ୍ରୀମନ୍ଦିର । କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ତେବେ ବଡଦେଉଳକୁ ପ୍ରବେଶ ପାଇଁ ଟିକାର ଦୁଇଟି ଡୋଜ୍ କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର ।

ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ଗତ ମାସ ୧୦ରୁ ୩୧ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ଉପରେ କଟକଣା ଲଗାଇଥିଲେ ମନ୍ଦିର ପ୍ରଶାସନ । ତେବେ ସଂକ୍ରମଣରେ ସାମାନ୍ୟ ସୁଧାର ଆସିବା ପରେ ଗତ ୨୮ତାରିଖରେ ବସିଥିବା ଛତିଶାନିଯୋଗ ବୈଠକରେ, ଫେବ୍ରୁଆରୀ ପହିଲା ଅର୍ଥାତ ଆଜିଠାରୁ ପୁଣି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତି ହୋଇଥିଲା । ନିଷ୍ପତି ଅନୁସାରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ।

ପ୍ରସିଦ୍ଧ ଶକ୍ତିପୀଠ ମା ସମଲେଶ୍ୱରୀଙ୍କ ପୀଠରେ ମଧ୍ୟ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁମାନେ କୋଭିଡ୍ କଟକଣା ମାନି ସମଲେଶ୍ୱରୀଙ୍କ ଦର୍ଶନ କରୁଛନ୍ତି । ପ୍ରଶାସନର ନିଷ୍ପତି ଅନୁସାରେ ସକାଳ ୬ଟାରୁ ୧୧ଟା ୩୦ , ଅପରାହ୍ନ ୧ଟା ସନ୍ଧ୍ୟା ୭ଟା ୩୦ ଯାଏ ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରିପାରିବେ । ତେବେ ଗୁରୁବାର ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ ।