ଚୀନକୁ ପୁଣି ଫେରିଲା ଲକଡାଉନ୍ । ଚୀନର ଚାଙ୍ଗଚୁଙ୍ଗ ସହର ହେଲା ଲକଡାଉନ

322

କନକ ବ୍ୟୁରୋ: ଚାଇନାରେ ପୁଣି ଫେରିଲା ଲକଡାଉନ । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପୁଣି ଜିନ ପିଙ୍ଗ ସରକାରର ଚିନ୍ତା ବଢାଇଛି । ଯାହାକୁ ନେଇ ୯୦ ଲକ୍ଷ ଜନସଂଖ୍ୟା ବିଷିଷ୍ଟ ଚାଙ୍ଗଚୁଙ୍ଗ ସହରରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛି ଚୀନ । ସେହିପରି ଲୋକଙ୍କ ଘରୁ ବାହାରିବାରେ ମଧ୍ୟ କଟକଣା ଲଗାଇଲା ଡ୍ରାଗନ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକମାନେ ଥିବା ଦେଖିବାକୁ ମିଳିଛି ।

ପୁଣିଥରେ କରୋନାର ବୁଢିଆଣି ଜାଲରେ ଛନ୍ଦି ହୋଇଯାଇଛି ଚୀନ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନି ସପ୍ତାହ ତଳେ ଦୈନିକ ସଂକ୍ରମଣ ୧୦୦ ଭିତରେ ରହିଥିଲା । ଏବେ ଏହା ହଜାରେ ଉପରେ ରହିଛି । ଯାହାକି ବିଗତ ୨ ବର୍ଷରେ ସର୍ବାଧିକ । କରୋନା ସଂକ୍ରମଣ ଉପରମୁହାଁ ହେଉଥିବା ଦେଖି ଶୁକ୍ରବାର ଜିନ୍ ପିଙ୍ଗ ସରକାର ଚାଙ୍ଗଚୁଙ୍ଗ ସହରକୁ ଲକଡାଉନ୍ ଘୋଷଣା କରିଛନ୍ତି । ଏହାଦ୍ୱାରା ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ଏହି ସହର ସମ୍ପୁର୍ଣ୍ଣ ଲକଡାଉନରେ ରହିଛି । ଘରୁ ରହି କାମ କରିବାକୁ ଚୀନ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଅଦୃଶ୍ୟ ଭୂତାଣୁକୁ ରୋକିବା ପାଇଁ ଏଯାବତ ଟେଷ୍ଟିଂ ଏବଂ କଟକଣା ଅଧିକ ସଫଳ ରଣନୀତି । ତେଣୁ ଜିଲିନ୍ ପ୍ରାନ୍ତର ଚାଙ୍ଗଚୁନ ସହର ବ୍ୟତୀତ ଏବେ ସାଂଘାଇ ଏବଂ ଅନ୍ୟାନ୍ୟ ସହର ଲକଡାଉନ୍ ହୋଇପାରେ । ଅନ୍ୟପଟେ ଜିଲିନ ପ୍ରାନ୍ତରେ ଥିବା ଚାଙ୍ଗଚୁନରେ ଚୀନର ଅଧିକାଂଶ ଶିଳ୍ପ ସଂସ୍ଥା ରହିଛି । ତେଣୁ ଲକଡାଉନ୍ ବେଳେ ଶିଳ୍ପ ସଂସ୍ଥା ଅଧିକ ପ୍ରଭାବିତ ହେବ ବୋଲି ଜଣାପଡିଛି । ସେହିପରି ସଂକ୍ରମଣ ରୋକିବାକୁ ଜଣେ ଲୋକ ଦୁଇ ଦିନରେ ଥରେ ଘରୁ ବାହାରିବାକୁ ଅନୁମତି ଦେଇଛି ସ୍ଥାନୀୟ ସରକାର । ସାଙ୍ଘାଇ ସହରରେ ମଧ୍ୟ ସ୍କୁଲ ଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି ।

ଦୀର୍ଘ ୨ ବର୍ଷ ପୂର୍ବରୁ ଚୀନର ଉହାନ ସହରରୁ କରୋନା ସଂକ୍ରମଣ ପ୍ରଥମେ ଚିହ୍ନଟ ହୋଇଥିଲ । ଏହାପରେ ଅନ୍ୟ ଦେଶକୁ ଏହା ବ୍ୟାପିଥିଲା । ତେବେ ସଂକ୍ରମଣ କମିଯାଇଛି କହି ଚୀନ କରୋନା ଦାଉରୁ ବର୍ତ୍ତିଗଲାଣି ବୋଲି ବାର୍ତ୍ତା ଦିଏ  କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଓଲଟା ।