ବୁଡ଼ିବ ନାହିଁ ଭାରତୀୟ ଜୀବନ ବୀମା ନିଗମ ! ଆପଣ ନିବେଶ କରିଥିବା ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ

720

କନକ ବ୍ୟୁରୋ : ବୁଡିବ ନାହିଁ ଭାରତୀୟ ଜୀବନ ବୀମା ନିଗମ । ଏପରିକି ଏହି ସଂସ୍ଥାରେ ଲୋକମାନେ ନିବେଶ କରିଥିବା ଟଙ୍କା ଆଦୌ ବୁଡିବ ନାହିଁ । ଏଲଆଇସିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦେଖା ଦେଇଥିବା ଦ୍ୱନ୍ଦ ଠିକ୍ ନୁହେଁ । ଏଲଆଇସି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ । ଏଲଆଇସି ଦୀର୍ଘ ୬୨ ବର୍ଷ ଧରି ଲୋକମାନଙ୍କୁ ସେବା ପ୍ରଦାନ କରି ଆସୁଛି । ଏହି ସମୟ ମଧ୍ୟରେ ଲୋକ ମାନଙ୍କ ମଧ୍ୟରେ ଏଲଆଇସି ବେଶ ଆଦୃତ ହୋଇ ପାରିଛି । ଏହାର ଅନେକ ଗୁଡିଏ ପଲିସିକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି ।

ଭାରତର ଅଧିକାଂଶ ଲୋକ ଏଲଆଇସିରେ ନିବେଶ କରିବାକୁ ସୁରକ୍ଷିତ ମଣିଥାନ୍ତି । ଗରିବ ଲୋକଙ୍କ ଠାରୁ ଆରମ୍ଭ କରି କୋଟିପତିଙ୍କ ପର୍ଯ୍ୟନ୍ତ ଜୀବନବୀମା କ୍ଷେତ୍ରରେ ଏଲଆଇସି ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ । ସରକାରୀ ଓ ବେସରକାରୀ ଚାକିରିଆ ମାନେ ମଧ୍ୟ ଏଲଆଇସିରୁ ଭଲ ସୁବିଧା ପାଇଥାନ୍ତି । ଏଲଆଇସି ନିବେଶକାରୀଙ୍କୁ କିଛି ମାତ୍ରାରେ ଆୟକର ଛାଡ ମଧ୍ୟ ମିଳିଥାଏ ।

ଏଲଆଇସିର ପଲିସି ମଧ୍ୟରେ ଜୀବନ ଅକ୍ଷୟ, ଇ-ଟର୍ମ ପ୍ଲାନ, ମନି ବ୍ୟାକ ପ୍ଲାନ, ଜୀବନ ଆନନ୍ଦ, ଜୀବନ ସରଳ ଭଳି ପ୍ଲାନ ନିବେଶକାରୀଙ୍କ ମଧ୍ୟ ବେଶ ଲୋକପ୍ରିୟ । କେବଳ ଏହି ପ୍ଲାନ ନୁହେଁ ଏଲଆଇସିର ଅନ୍ୟ ପ୍ଲାନରେ ମଧ୍ୟ ଭଲ ଲାଭ ପାଇଥାନ୍ତି ନିବେଶକାରୀ । ଆଉ ଏହିଭଳି କିଛି ପ୍ଲାନ ପାଇଁ ଏଲଆଇସି ଆଜି ଲୋକଙ୍କ ପାଖରେ ଆସ୍ଥାଭାଜନ ହୋଇପାରିଛି । ଖାସ ଏଥିପାଇଁ ୨୫,୨୯,୩୯୦ (୨୦୧୬) କୋଟି ଟଙ୍କାର ସାମ୍ରାଜ୍ୟ ଛିଡା କରି ପାରିଛି ଏଲଆଇସି । ଏପରିକି ଗତ ବିତ୍ତୀୟ ବର୍ଷରେ ଏହାର ଲାଭାଂଶର ଶତକଡା ୯୫ ପ୍ରତିଶତକୁ ପଲିସି ଧାରକଙ୍କୁ ବୋନଓ ଆକାରରେ ପ୍ରଦାନ କରାଯାଇଛି । ଅନ୍ୟ ୫ ପ୍ରତିଶତକୁ ଭାରତ ସରକାରଙ୍କୁ ପ୍ରଦାନ କରାଯାଇଛି ।

ଗତ କିଛି ଦିନ ତଳେ ଏଲଆଇସିକୁ ନେଇ ଯେଉଁ ଖବର ପ୍ରକାଶ ପାଇଥିଲା ସେଥିରେ କିଛି ତ୍ରୁଟି ରହିଥିଲା । ତେଣୁ ଏଭଳି ଗୁଜବରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ । ଏଲଆଇସି ଅଧିକାରୀଙ୍କ କହିବା ଅନୁଯାୟୀ, ନିବେଶକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି, ପ୍ଲାନର ଅବଧି ଶେଷ ହେବା ପରେ ଗ୍ରାହକ ମାନେ ନିଜର ଜମା ଟଙ୍କା ଫେରି ପାଇବେ । ତେଣୁ ଏଲଆଇସିକୁ ନେଇ ବିଚଳିତ ନ ହେବାକୁ ପରାମର୍ଶ ଦିଆଯାଇଛି ।