ଜୁନ୍ ସରି ଜୁଲାଇ ହେଲା…ପର୍ଯ୍ୟାପ୍ତ ବର୍ଷାର ଦେଖା ମିଳିଲାନି : ଆଷାଢରେ ମାଟି ଫାଟି ଆଁ କଲାଣି; ବିଭିନ୍ନ ଜିଲ୍ଲାରୁ ଆସିଲା ଚିନ୍ତାଜନକ ଚିତ୍ର

114

କନକ ବ୍ୟୁରୋ : ଗୋଟେ ପଟେ ମୌସୁମୀର ଲୁଚକାଳି ଖେଳ, ଅନ୍ୟପଟେ ଶୁଖିଲା କେନାଲ ଚାଷୀଙ୍କ ହୋସ ଉଡାଇ ଦେଇଛି । ଜୁନ୍ ସରି ଜୁଲାଇ ୩ ତାରିଖ ହେଲାଣି ତଥାପି ବର୍ଷାର ଦେଖା ନାହିଁ କହିଲେ ଚଳେ । କାଁ ଭାଁ କିଛି ସ୍ଥାନରେ ଅଳ୍ପ ଅଳ୍ପ ବର୍ଷା ହେଉଛି । ହେଲେ ତାହା ଚାଷ ପାଇଁ ପର୍ଯ୍ୟାପ୍ତ ନୁହେଁ । ବର୍ଷାର ଅଭାବ ସାଙ୍ଗକୁ କେନାଲ ଥାଇ ବି ପାଣି ନଆସିବାରୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀକୂଳ । ଉପକୂଳ ଓଡିଶାରୁ ଉତର ଓଡିଶା, ଏବଂ ଦକ୍ଷିଣ ଓଡିଶାରେ ବି ଖରିଫ ଚାଷ ପ୍ରଭାବିତ ହୋଇଛି । ରାୟଗଡା ଜିଲ୍ଲାରେ ଚାଷୀ ହଳ କରି ତଳି ପକାଇବା ପାଇଁ ବର୍ଷାକୁ ଅନାଇ ରହିଛନ୍ତି ।

ଏପଟେ ବାଲେଶ୍ୱର ଜିଲ୍ଲାର ବସ୍ତା ଓ ପୁରୀ ଜିଲ୍ଲାର ପିପିଲିରେ ଉଠା ଜଳସେଚନର ପାଣିକୁ ଭରସା କରି ଚାଷୀ ତଳି ପକାଇଛନ୍ତି । କାରଣ ବର୍ଷା ନଥିବା ବେଳେ ଏସବୁ ଅଞ୍ଚଳରେ ଥିବା କେନାଲରେ ପାଣି ଆସୁନାହିଁ । ତେଣୁ ଚାଷୀ ଅସନ୍ତୋଷ ଦାନା ବାନ୍ଧୁଛି । ବର୍ଷ ବର୍ଷ ଧରି କେନାଲରେ ପାଣି ଆସୁନାହିଁ । ଯାହା ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ରାୟଗଡା ଜିଲ୍ଲାରେ ଚାଷୀମାନେ ପ୍ରଶାସନିକ ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୁଲି ଏମ୍.ଆଇ.ପି ଡ୍ୟାମ୍ ଗୁଆକଣା ସବ ମାଇନର କେନାଲରେ ପାଣି ଛାଡିବା ପାଇଁ ଦାବି କରି ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।