କାହିଁକି ମହାନିଲାମୀରେ ରୈନାଙ୍କୁ କିଣିଲେନି କୌଣସି ଫ୍ରାଞ୍ଚାଇଜ? କୁମାର ସାଙ୍ଗାକାରା ଖୋଲିଲେ ମୁହଁ, କହିଲେ… ।

321

କନକ ବ୍ୟୁରୋ : ଆଇପିଏଲକୁ ଆଉ ଦିନ କେଇଟା ବାକି ଅଛି । ଆଉ ଏହା ପୂର୍ବରୁ ଚଳିତ ଥର ଆଇପିଏଲ ଟ୍ରଫି ଜିତିବାକୁ ସବୁ ଟିମ୍ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଉ ଚଳିତ ଆଇପିଏଲରେ ରାଜସ୍ଥ୍ାନ ରୟାଲ୍ସ ମଧ୍ୟ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ମହାନିଲାମୀରେ ରାଜସ୍ଥାନ ଫ୍ରାଞ୍ଚାଇଜ ବଡ ବଡ ଚେହେରାଙ୍କୁ ଦଳରେ ସାମିଲ କରିବା ସହ ପୁଣିଥରେ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ଅଶ୍ୱିନୀ, ଚହଲ, ବୋଲ୍ଟ, ହେଟମେୟର, ଦେବଦତ୍ତ ପାଡିକାଲଙ୍କ ଭଳି ଖେଳାଳୀଙ୍କୁ ନେଇ ରାଜସ୍ଥାନ ବେଶ ଶକ୍ତିଶାଳୀ ରହିଛି । ଆଉ ଟିମକୁ ଶକ୍ତିଶାଳୀ କରିବା ପଛରେ ରାଜସ୍ଥାନ ଫ୍ରାଞ୍ଚାଇଜର ଡାଇରେକ୍ଟର ଅଫ୍ କ୍ରିକେଟ୍ କୁମାର ସାଙ୍ଗାକାରାଙ୍କ ଯଥେଷ୍ଟ ଅବଦାନ ରହିଛି । ସାଙ୍ଗାକାରା କେବଳ ଦଳକୁ ଶକ୍ତିଶାଳୀ କରିନାହାନ୍ତି ବରଂ ମହାନିଲାମୀରେ ରୈନାଙ୍କୁ କିଣାନଯିବା ପଛର କାରଣ କହିଛନ୍ତି ।

ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାରା କହିଛନ୍ତି, ଏବେ ମହାନିଲାମୀରେ ଫ୍ରାଞ୍ଚାଇଜ ମାନେ ନାଁ କିମ୍ବା ପୂର୍ବ ପ୍ରଦର୍ଶନ ବଦଳରେ ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଖେଳାଳୀକୁ ଦଳରେ ସାମିଲ କରୁଛନ୍ତି । ରୈନାଙ୍କୁ ଦଳରେ ସାମିଲ ନ କରିବା ପଛରେ ମଧ୍ୟ ସମାନ ଦୃଷ୍ଟିକୋଣ ରହିଛି । କାରଣ ସମୟ ବିତିବା ସହ ଖେଳାଳୀଙ୍କର ପ୍ରଦର୍ଶନ ମଧ୍ୟ ବଦଳିଥାଏ । ଆଉ ଟିମରେ ସ୍ଥାନ ପାଇବାକୁ ହେଲେ ଯୁବ ଓ ନୂଆ ଖେଳାଳୀଙ୍କ ସହ ପ୍ରତିଯୋଗିତା କରିବାକୁ ପଡିଥାଏ । ସୁରେଶ ରୈନାଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗତ କିଛି ସିଜିନକୁ ଛାଡିଦେଲେ ସୁରେଶ ରୈନାଙ୍କର ପ୍ରଦର୍ଶନ ଆଇପିଏଲରେ ଦମଦାର ରହି ଆସିଛି । ଆଇପିଏଲରେ ରୈନା ବଡ ଚେହେରା ଭାବେ ଜଣାଶୁଣା । ପ୍ରତି ସିଜିନରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳୀଙ୍କ ମଧ୍ୟରେ ରୈନା ଯଥେଷ୍ଟ ଆଗରେ ରହିଥାନ୍ତି । କିନ୍ତୁ ଆଗାମୀ ଆଇପିଏଲ ସିଜିନ ପାଇଁ ରୈନା ଉପଯୁକ୍ତ ନୁହଁନ୍ତି । କାରଣ ଗତ କିଛି ସିଜିନରେ ରୈନାଙ୍କର ପ୍ରଦର୍ଶନ ସେତେଟା ପ୍ରଭାବିତ କଲା ଭଳି ନଥିବା ବେଳେ ଉତ୍ସାହଜନକ ମଧ୍ୟ ରହିନାହିଁ । ଆଉ ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ହିଁ ପ୍ରତିଟି ଖେଳାଳୀଙ୍କ ପ୍ରଦର୍ଶନ ଉପରେ ଏବେ କ୍ରିକେଟ ସମୀକ୍ଷକ, କୋଚ ଓ ମାଲିକଙ୍କର ନଜର ରହୁଛି ।

ସେହିଭଳି ସଞ୍ଜୁ ସାମସନଙ୍କୁ ନେଇ ସାଙ୍ଗାକାରା କହିଛନ୍ତି, ଅଧିନାୟକ ଭାବେ ହୁଅନ୍ତୁ ବା ରାଜସ୍ଥାନର ଖେଳାଳୀ ଭାବେ ଦଳର ଆଗାମୀ ଭବିଷ୍ୟତ ପାଇଁ, ଟି-୨୦ ଫର୍ମାଟରେ ସାମସନ ଜଣେ ଦମଦାର ଖେଳାଳୀ । ସଞ୍ଜୁଙ୍କ ପାଖରେ ସେଭଳି କ୍ଷମତା ଅଛି ଯାହା ଟି-୨୦ରେ ଆବଶ୍ୟକ ।ଆସନ୍ତା ୨୬ ତାରିଖରୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ୨୯ ମାର୍ଚ୍ଚରେ ସନରାଇର୍ଜସ ହାଇଦ୍ରାବାଦ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ରାଜସ୍ଥାନ ରୟାଲ୍ସ ।