ଆଇପିଏଲ ବଦଳାଇ ଦେଲା ସମ୍ପର୍କ । ପୂର୍ବରୁ ଶତ୍ରୁତା ଥିଲା, ଗୋଟିଏ ୱିକେଟ ବନ୍ଧୁତା ବଢାଇଲା ।

700

କନକ ବ୍ୟୁରୋ : ଆଇପିଏଲ କେବଳ ଆଉ ଟୁର୍ଣ୍ଣାମେଣ୍ଟ ହୋଇ ରହିନାହିଁ ବରଂ କୋଟି କୋଟି କ୍ରିକେଟପ୍ରେମୀଙ୍କ ପାଇଁ ଏକ ପର୍ବ ହୋଇ ସାରିଲାଣି । ଖାସକରି ଆଇପିଏଲରେ ଦେଖିବାକୁ ମିଳୁଥିବା ଖେଳଭାବନା କ୍ରିକେଟକୁ ଏକ ନୂଆ ପରିଚୟ ଦେଉଛି । ଆଉ ଗତକାଲି ଗୁଜୁରାଟ ଟାଇଟନ୍ସ ଓ ଲକ୍ଷ୍ନୋ ସୁପରଜାଏଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ଧରି ଚାଲି ଆସିଥିବା ରାଗ ଓ ଅଭିମାନରେ ପୂର୍ଣ୍ଣଚ୍ଛେଦ ପକାଇଥିଲା ଆଇପିଏଲର ଏହି ମ୍ୟାଚ୍ । ଦୁଇ ଖେଳାଳୀଙ୍କ ମଧ୍ୟରେ ଶତ୍ରୁତାକୁ ବନ୍ଧୁତାରେ ପରିଣତ କରିଥିଲା ଆଇପିଏଲର ଏହି ମ୍ୟାଚ୍ ।

ଗୁଜୁରାଟ ଟାଇଟନ୍ସର ବ୍ୟାଟର ଶୁଭମାନ ଗିଲ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ । ଦୁଷ୍ମନ୍ତ ଚାମିରାଙ୍କ ବଲରେ ଏକ ବଡ ସଟ୍ ଖେଳିବାକୁ ଯାଇ ଦୀପକ ହୁଡାଙ୍କ ହାତରେ କ୍ୟାଚ୍ ହୋଇଥିଲେ । ଆଉ ଏହି କ୍ୟାଚ୍ ଧରିବା ପରେ ତୁରନ୍ତ କୁର୍ଣ୍ଣାଲ ପାଣ୍ଡ୍ୟା ତାଙ୍କୁ କୁଣ୍ଢାଇ ପକାଇଥିଲେ । ଆଉ ଏହି ସେଲିବ୍ରେସନ ଉପରେ ସମସ୍ତଙ୍କର ନଜର ଥିଲା । କାରଣ ଏହି ସେଲିବ୍ରେସନ ସହ କୁର୍ଣ୍ଣାଲ ଓ ଦୀପକଙ୍କ ମଧ୍ୟରେ ଥିବା ପୁରୁଣା ଶତ୍ରୁତା, ରାଗ ଓ ଅଭିମାନ ସମାପ୍ତ ହୋଇଥିଲା । ଏହି ସେଲିବ୍ରେସନ ଦେଖି ଫ୍ୟାନ ମାନେ ମଧ୍ୟ ଷ୍ଟାଡିୟମରେ ଝୁମି ଉଠିଥିଲେ । ଆଉ କ୍ଷଣିକରେ ପୁରୁଣା ଶତ୍ରୁତା ବନ୍ଧୁତାରେ ପରିଣତ ହୋଇଥିଲା । ଆଉ ଏହାର ଫଟୋକୁ ଆଇପିଏଲ ନିଜ ଟ୍ୱିଟର ପେଜରେ ମଧ୍ୟ ସେୟାର କରିଥିଲା ।

ଆଇପିଏଲରେ ଗୋଟିଏ ଟିମରେ ଖେଳିବା ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଥିଲା । ଯେତେବେଳେ ୨୦୨୧ରେ ସୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦୀପକ ହୁଡା ବରୋଦା ଟିମରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ଦୀପକ କହିଥିଲେ ଯେ, ବରୋଦା ଟିମର କ୍ୟାପଟେନ ଥିବା କୁର୍ଣ୍ଣାଲ ତାଙ୍କୁ ଗାଳି ଦେଇଥିଲେ । ଏପରିକି ତାଙ୍କର କ୍ରିକେଟ କ୍ୟାରିୟର ଶେଷ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ସେବେଠାରୁ ଏହି ଝଗଡା ଆରମ୍ଭ ହୋଇଥିଲା । ଏପରିିକି ଦୀପକ ହୁଡା ବରୋଦା ଟିମ୍ ଛାଡି ରାଜସ୍ଥାନ ପକ୍ଷରୁ ଖେଳିଥିଲେ । ତେବେ ଆଇପିଏଲର ଏହି ମ୍ୟାଚ୍ ପରେ ଉଭୟଙ୍କ ମଧ୍ୟରେ ଥିବା ଶତ୍ରୁତା ସମାପ୍ତ ହୋଇଥିବା ବେଳେ ବନ୍ଧୁତା ଆରମ୍ଭ ହୋଇଥିବା କୁହାଯାଉଛି ।