ଅଢ଼େଇ ଲକ୍ଷ ଟଙ୍କାର ଟଙ୍କିକିଆ କଏନ୍ ଧରି ସୋ’ରୁମରେ ପହଞ୍ଚିଲେ ଯୁବକ । ଖୁଚୁରା ଦେଇ କିଣିଲେ ବାଇକ, ଗଣି ଗଣି ଥକିଗଲେ ସୋ’ରୁମ୍ କର୍ମଚାରୀ ।

277

କନକ ବ୍ୟୁରୋ : ଇଏ କୌଣସି ଭିଜିଲାନ୍ସ ରେଡର କାହାଣୀ ନୁହେଁ, କିମ୍ବା ମନ୍ଦିର ଦାନହୁଣ୍ଡିରୁ ବାହାରିଥିବା ଟଙ୍କା ନୁହେଁ । ଏ ଘଟଣା ହେଉଛି ଏକ ବାଇକ୍ ସୋ’ରୁମର । ବାଇକ କିଣିବାକୁ ବସ୍ତାରେ ଆଣିଲେ ଟଙ୍କା । ଖୁଚୁରା ଦେଇ କିଣିଲେ ବାଇକ । ଗଣି ଗଣି ଥକିଗଲେ ସୋ’ରୁମ୍ କର୍ମଚାରୀ । ସାଧାରଣତଃ ଯେତେବେଳେ ଗ୍ରାହକଟିଏ ଗାଡି କିଣିବାକୁ କୌଣସି ସୋ’ରୁମକୁ ଯାଆନ୍ତି, ସେତେବେଳେ ସୋ’ରୁମ କର୍ମଚାରୀ ଖୁସି ହୋଇଯାନ୍ତି । କିନ୍ତୁ ତାମିଲନାଡୁର ଏହି ସୋରୁମକୁ ଯେତେବେଳେ ଜଣେ ଯୁବକ ବାଇକ୍ କିଣିବାକୁ ଆସିଥିଲେ, ସେତେବେଳେ କର୍ମଚାରୀଙ୍କ ହୋସ୍ ଉଡିଯାଇଥିଲା । କାରଣ ବାଇକ କିଣିବା ପାଇଁ ବସ୍ତାରେ କେବଳ ଟଙ୍କିକିଆ କଏନ୍ ନେଇ ଆସିଥିଲେ ଏହି ଯୁବକ ।

ତାମିଲନାଡୁର ଗାନ୍ଧି ମୈଦାନ ଅଂଚଳର ଭୂପତି ନାମକ ଏହି ଯୁବକ ନିଜ ପସନ୍ଦର ବାଇକ୍ କିଣିବା ପାଇଁ ଗତ ୩ ବର୍ଷ ହେଲାଣି ଟଙ୍କା ଜମା କରୁଛନ୍ତି । ତେବେ ଗତ ଶନିବାର ନିଜ ସାଙ୍ଗମାନଙ୍କ ସହ ବସ୍ତାରେ ଟଙ୍କା ନେଇ ବାଇକ୍ କିଣିବାକୁ ସୋରୁମକୁ ଯାଇଥିଲେ ଭୂପତି । ବାଇକର ଦାମ୍ ଥିଲା ୨ ଲକ୍ଷ ୬୦ ହଜାର ଟଙ୍କା । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯେ ଏହି ପୂରା ଟଙ୍କା କେବଳ ଖୁଚୁରା ଆକାରରେ ଦେଇଥିଲେ ଭୂପତି । ତାହା ପୁଣି କେବଳ ଟଙ୍କିକିଆ କଏନ୍ । ଆଉ ସେହି କଏନକୁ ଗଣି ଗଣି ଥକିଯାଇଥିଲେ ସୋ’ରୁମ୍ କର୍ମଚାରୀ ।

ତେବେ ସୋ’ରୁମ୍ ମ୍ୟାନେଜରଙ୍କ କହିବା ଅନୁଯାୟୀ, ଏତେ ପରିମାଣର କଏନ ଗଣିବାକୁ ୮ରୁ ୧୦ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ପାଖାପାଖି ୧୦ ଘଂଟାରୁ ଅଧିକ ସମୟ ଲାଗିଥିଲା । ତେବେ ଭୂପତିଙ୍କ କହିବା କଥା, ନିଆରା ଷ୍ଟାଇଲରେ ନିଜ ସ୍ୱପ୍ନ ପୂରା କରିବା ପାଇଁ ସେ ଏପରି କରିଥିଲେ । ଗତ ୩ ବର୍ଷ ହେଲାଣି ସେ ନୋଟକୁ ବଦଳାଇ କଏନ ସଂଗ୍ରହ କରୁଥିଲେ । ତେବେ ତାଙ୍କର ଏପରି ପ୍ରୟାସ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି ।