ମହିଳା ବିଚାରପତିଙ୍କୁ ଓକିଲଙ୍କ ଦୁର୍ବ୍ୟବହାର ଘଟଣା : ଅଭିଯୋଗକୁ ଖଣ୍ଡନ କଲା ନୟାଗଡ଼ ଜିଲ୍ଲା ବାର ଆସୋସିଏସନ୍

35

କନକ ବ୍ୟୁରୋ :  ନୟାଗଡ଼ ମହିଳା କୋର୍ଟରେ ମହିଳା ବିଚାରପତିଙ୍କ କୋର୍ଟ ଭିତରେ ଓକିଲମାନେ ଧସେଇ ପଶିବା ଏବଂ ବିଚାରପତି ଦୀପା ଦାସଙ୍କୁ ଗାଳିଗୁଳଜ ଓ ଧମକ ଚମକ ଅଭିଯୋଗ ପରେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ନୟାଗଡ଼ ଜିଲ୍ଲା ବାର ଆସୋସିଏସନ୍ । ଉଭୟ ଆସୋସିଏସନର ସଭାପତି ଅମିୟ ପଟ୍ଟନାୟକ ଏବଂ ସଂପାଦକ ରଂଜିତ ଦାଶ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବିଚାରପତି ଦୀପା ଦାସଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି । ସେହିପରି ପ୍ରସାରିତ ଖବରକୁ ଏକପାଖିଆ ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ବାର ଆସୋସିଏସନ୍ ।

ସେପଟେ ଏହି ଘଟଣାରେ ଜିଲ୍ଲା ଓ ସେସନ୍ ଜଜଙ୍କୁ ମହିଳା ଜଜ୍ ଦୀପା ଦାସ ଲେଖିଥିବା ଏକ ଚିଠି ହସ୍ତଗତ ହୋଇଛି । ଗତ ୧୬ ତାରିଖରେ ଲେଖାଯାଇଥିବା ଏହି ଚିଠିରେ ସେ ଦର୍ଶାଇଛନ୍ତି, କିଛି ବାର ଆସୋସିଏସନର ସଦସ୍ୟ ଜବରଦସ୍ତ ତାଙ୍କ ଚ୍ୟାମ୍ବରରେ ପଶିଯାଇ ଖରାପ ଭାଷାରେ ଗାଳି ଦେବା ସହ ପେଲା ଠେଲା କରି, ତାଙ୍କ ମୋବାଇଲ୍ ଫୋନକୁ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଧମକ ଚମକ ଦିଆଯାଇଥିବା ନେଇ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ଜିଲ୍ଲା ଓ ସେସନ୍ ଜଜଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ଜଣାଇବା ସହ ନୟାଗଡ଼ ଟାଉନ ଥାନାରେ ଏଫଆଇଆର ଦାଖଲ ପାଇଁ ଏହି ଚିଠିକୁ ଫରୱାର୍ଡ କରିବା ପାଇଁ ଅନୁରୋଧ କରିଛନ୍ତି ମହିଳା ଜଜ୍ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମାନ୍ୟବର ହାଇକୋର୍ଟଙ୍କୁ ଏହି ଘଟଣାର ରିପୋର୍ଟ ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ସେହିପରି ନିଜକୁ ଅସୁରକ୍ଷିତ ମନେ କରି ନୟାଗଡ଼ ଏସପି ଆଶିଷ ସିଂହଙ୍କୁ ସୁରକ୍ଷା ମାଗିଥିବା ଚିଠି ମଧ୍ୟ କନକ ନ୍ୟୁଜର ହସ୍ତଗତ ହୋଇଛି । ଗତ ୧୦ ତାରିଖରେ ଲେଖା ଯାଇଥିବା ଏହି ଚିଠିରେ ତାଙ୍କ ଅଫିସ ଓ ବାସଭବନରେ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ବିଚାରପତି ଦୀପା ଦାସ ।