ଜନସନ ଆଣ୍ଡ ଜନସନ ଉପରେ ୨୩୦ କୋଟି ଟଙ୍କାର ଜୋରିମାନା : ଭୁଲ ଉପାୟରେ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରିଥିଲା କମ୍ପାନୀ

731

କନକ ବ୍ୟୁରୋ : ଜନସନ ଆଣ୍ଡ ଜନସନ କମ୍ପାନୀ ଉପରେ ସଙ୍କଟ । ଶିଶୁ ଉତ୍ପାଦ ତିଆରିରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ଜନସନ ଆଣ୍ଡ ଜନସନର ପୁଣି ଅଡ଼ୁଆରେ । ପୂର୍ବରୁ ବେବି ପାଉଡ଼ରେ କ୍ୟାନସର ସୃଷ୍ଟିକାରୀ ତତ୍ୱ ଥିବା ଅଭିଯୋଗରେ ବିବାଦ ଘେରକୁ ଟାଣି ହୋଇଆସିଥିବା ବେଳେ ଏବେ କମ୍ପାନୀ ପାଇଁ ନୂଆ ଅଡ଼ୁଆ ସୃଷ୍ଟି ହୋଇଛି ।

ଜନସନ ଆଣ୍ଡ ଜନସନ ଶିଶୁ ଉତ୍ପାଦ ତିଆରିରେ ଏକ ନାମୀଦାମୀ କମ୍ପାନୀ । ଗ୍ରାହକଙ୍କଠାରୁ ଭୁଲ ଉପାୟରେ ଟଙ୍କା ଆଦାୟ କରିଥିବା ଅଭିଯୋଗରେ କମ୍ପାନୀକୁ ୨୩୦ କୋଟି ଟଙ୍କାର ଜୋରିମାନା ଦେବାକୁ ପଡ଼ିବ । ଗ୍ରାହକଙ୍କୁ ଜିଏସଟିର ଲାଭ ନଦେବାରୁ ନ୍ୟାସନାଲ  ଆଣ୍ଟି ପ୍ରୋଫିଟିୟାରିଙ୍ଗ ଅଥୋରିଟି(ଏନଏଏ), କମ୍ପାନୀ ଉପରେ ଜୋରିମାନା ଲଗାଇଛି । କମ୍ପାନୀ ଯେଉଁ ଉପାୟରେ ଟିକସ କାଟିଛି ତାହାର ଆକଳନ ଠିକ୍ ନୁହେଁ  ।

ସୂଚନା ଅନୁସାରେ, ୧୫ ନଭେମ୍ବର ୨୦୧୭ରୁ ଡିସେମ୍ବର ୨୦୧୮ ମଧ୍ୟରେ ଗ୍ରାହକ ଠାରୁ ଅଧିକା ଟଙ୍କା ଆଦାୟ କରିଛି କମ୍ପାନୀ । ଆଉ ସେହି ସମୟରେସରକାର ଜିଏସଟି ଦର ୨୮ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଦେଇଥିଲେ । ଜିଏସଟି ଦର କମ ହୋଇଥିଲେ ହେଁ କମ୍ପାନୀ ଏହାର ଲାଭ ଗ୍ରାହକଙ୍କୁ ଦେଇ ନାହିଁ ।  ୩ ମାସ ମଧ୍ୟରେ ୨୩୦ କୋଟି ଟଙ୍କାର ଜୋରିମାନା ନଦେଲେ  ଜିଏସଟି ପ୍ରାଦ୍ଧିକରଣ ଦ୍ୱାରା ଟଙ୍କା ଆଦାୟ କରାଯିବା ବୋଲି ସୂଚନା ମିଳିଛି ।

ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ବାରମ୍ବାର ବିବାଦ ଘେରକୁ ଆସିଛି ଜନସନ କମ୍ପାନୀ ଆସିଛି । ଏହା ପୂର୍ବରୁ ମଧ୍ୟ କମ୍ପାନୀକୁ  ଜୋରିମାନା ଦେବାକୁ ପଡ଼ିଛି ।