ରାସ୍ତା କଡରେ ଆଉ ଭିକ୍ଷା ମାଗିବେନି କିନ୍ନର । କାମ କରିବେ, ସ୍ୱାଭିମାନର ସହ ବଞ୍ଚିବେ । ଓମଫେଡ ପାର୍ଲର ଖୋଲି କିନ୍ନରଙ୍କୁ ଥଇଥାନ କଲେ ଗଜପତି ଏସପି ସାରା ଶର୍ମା

534

କନକ ବ୍ୟୁରୋ: ଆଉ ରାସ୍ତାକଡରେ ଛିଡା ହୋଇ କାହାକୁ ହାତ ପତେଇବେନି କି କାହା ଅଟହାସ୍ୟର ଶିକାର ହେବେନି କିନ୍ନର । ସ୍ୱାଭିମାନରେ ବଞ୍ଚିବେ । ସମ୍ମାନର ସହ ଜିଇଁବେ ତୃତୀୟ ଲିଙ୍ଗୀ । କାମ କରି ନିଜ ପେଟ ନିଜେ ପୋଷିବେ କିନ୍ନର । କାରଣ କିନ୍ନରମାନଙ୍କୁ ଆତ୍ମନିର୍ଭରଶୀଳ କରିବ ଓମଫେଡ ପାର୍ଲର ।

କିନ୍ନରଙ୍କୁ ଥଇଥାନ କରିବାକୁ ଅଣ୍ଟା ଭିଡିଛନ୍ତି ଗଜପତି ଏସପି ସାରା ଶର୍ମା । ଆଗରୁ ଅନେକ ଲୋକାଭିମୁଖୀ ଯୋଜନା କରି ଚର୍ଚ୍ଚାକୁ ଆସିଥିବା ଲେଡି ପୋଲିସ ଅଫିସର ସାରା ଶର୍ମା ଏଥର କିନ୍ନରଙ୍କ ପାଇଁ କରିଛନ୍ତି ସୁରଭି ଓମଫେଡ୍ ପାର୍ଲର । ଏହି ପାରଲରରେ କିନ୍ନରମାନେ କ୍ଷୀର ଦହି ବିକ୍ରି କରି ନିଜ ପେଟ ପୋଷିବେ । ଯାହା ଦ୍ୱାରା ସେମାନେ ଆଉ ରାସ୍ତାଘାଟରେ ଭିକ୍ଷା ବୃତି କରିବେ ନାହିଁ । ଭିକ୍ଷା ବୃତ୍ତିରୁ କିନ୍ନରମାନଙ୍କୁ ଦୂରେଇ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ସେପଟେ ଏହି ଦୋକାନକୁ ଆଗକୁ ନେବା ପାଇଁ ବିଧାୟକଙ୍କ ପାଣ୍ଠିରୁ ୩ ଲକ୍ଷ ଓ ସାଂସଦଙ୍କ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଯାହାକୁ ନେଇ ଆଗକୁ ବଢିବେ ବୋଲି ଆଶା ରଖିଛନ୍ତି କିନ୍ନର । ତେବେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏହି ପାରଲର ଯୋଗାଇ ଦେଇଛନ୍ତି ଗଜପତି ଏସପି । ଏଠାରେ ୮ ଜଣ କିନ୍ନର କାମ କରୁଛନ୍ତି । ସେମାନେ ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ କ୍ଷୀର, ଦହି ଓ ଓମଫେଡ୍ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଓ ଗରମ ପାଣି ଯୋଗାଇ ଦେବେ ।

ତେବେ ପୂର୍ବରୁ ଅନେକ ଜନହିତକର କାମ କରି ଚର୍ଚ୍ଚାକୁ ଆସିଥିବା ସାରା ଶର୍ମା ଏବେ କିନ୍ନରଙ୍କୁ ଥଇଥାନ କରି ପୁଣି ଚର୍ଚ୍ଚିତ ହୋଇଛନ୍ତି । ଖାଲି ଗଜପତି ଜିଲ୍ଲା ନୁହେଁ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ କିନ୍ନରମାନଙ୍କୁ ଥଇଥାନ କରାଯାଇଛି । ମାଲକାନଗିରିରେ କିନ୍ନରମାନେ ଡାକ୍ତରଖାନା ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।