ଗୁଜରାଟ ପାଇଁ ଆପ୍ ଘୋଷଣା କଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ଜାଣନ୍ତୁ କାହା ଉପରେ କେଜ୍ରିୱାଲ କଲେ ଭରସା

453

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ  ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଗୁଜରାଟ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । କେଜ୍ରିୱାଲ ଏନେଇ ଇସୁଦାନ ଗଡବୀଙ୍କ ନାମ ଘୋଷଣା କରିଛନ୍ତି । କେଜ୍ରିୱାଲ ଅକ୍ଟୋବର ୨୯ ତାରିଖରେ ସୁରଟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ପଚାରିଥିଲେ କି ଆପଣ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ? ଏନେଇ ଏକ ହ୍ୱାଟସଆପ୍ ନମ୍ବର ଜାରି କରାଯାଇଥିଲା । ଏହି ନମ୍ବରକୁ ଲୋକମାନେ ମେସେଜ କରି ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ଚେହେରା ଚୟନ କରିଥିଲେ  । ଏହି ନମ୍ବରକୁ ଆସିଥିବା ମେସେଜ ମୁତାବକ ଆଜି କେଜ୍ରିୱାଲ ଇସୁଦାନ ଗଡବୀଙ୍କ ନାମ ଘୋଷଣା କରିଛନ୍ତି ।

ଏନେଇ ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ଏହି ମୋବାଇଲ ନମ୍ବରକୁ ୧୬ ଲକ୍ଷରୁ ଅଧିକ ଲୋକ ମେସେଜ କରିଥିଲେ । ଏହି ମେସେଜ ଆଧାରରେ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ସୂଚନା ଥାଉକି ଗତକାଲି ଗୁଜରାଟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଥିବା ତାରିଖ ମୁତାବକ ରାଜ୍ୟରେ ଦୁଇଟି ପର୍ଯ୍ୟାରେ ନିର୍ବାଚନ ହେବାକୁ ଯାଉଛି । ଡିସେମ୍ବର ପହିଲାରେ ପ୍ରଥମ ପର୍ଯ୍ୟାୟରେ ୯୩ ଟି ଆସନ ପାଇଁ ମତ ଗ୍ରହଣ କରାଯିବ । ଏହାସହ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଆସନଗୁଡିକ ପାଇଁ ମତ ଗ୍ରହଣ କରାଯିବ । ସେପଟେ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ ।