ଋତୁସ୍ରାବ ସମୟରେ ଜରୁରୀ କି ଛୁଟି ? ଭିନ୍ନ ଭିନ୍ନ ମତ ରଖୁଛନ୍ତି କର୍ମଜୀବୀ ମହିଳା ଓ ଡାକ୍ତର

158

କନକ ବ୍ୟୁରୋ: ଋତୁସ୍ରାବ ସମୟରେ ସାଧାରଣତଃ ମହିଳାଙ୍କୁ ସବୈତନିକ ଛୁଟି ଦେବାକୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଛି । କିଛି ଦିନ ପୂର୍ବରୁ କେରଳ ସରକାର ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନରେ ଋତୁସ୍ରାବଜନିତ ଛୁଟିର ଘୋଷଣା କରିଛନ୍ତି । ଏପରିକି ପରୀକ୍ଷା ସମୟରେ ଋତୁସ୍ରାବ ହେଲେ ଛାତ୍ରୀ ଆବଶ୍ୟକତା ଅନୁସାରେ ଛୁଟି ନେଇ ପାରିବେ ବୋଲି ମଧ୍ୟ କୁହାଯାଇଛି । ପୂର୍ବରୁ ବିହାର ସରକାର ସବୈତନିକ ଛୁଟି ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ସାରାଦେଶରେ ସେଭଳି ଆଇନ ଅଣାଯାଇ ନାହିଁ । ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାଖଲ ହୋଇଥିଲା । ସେହି ଆବେଦନର ଶୁଣାଣି କରି, ସରକାର ନୀତି ଆପଣେଇ ପାରିବେ ବୋଲି ମତ ଦେଇଥିଲେ କୋର୍ଟ ଏବଂ ଆଇନ ଆଣିବାକୁ ନିର୍ଦ୍ଦେଶ ଦେବାକୁ ମନା କରିବା ସହ ଆବେଦନକୁ ଖାରଜ କରିଦେଇଥିଲେ । ୨୦୨୨ ରେ ଓଡ଼ିଆ ଝିଅ ରଂଜିତା ପ୍ରିୟଦର୍ଶୀ ଏହି ଦାବି ନେଇ ପ୍ରଥମେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ଅନଲାଇନ ପିଟିସନ ଦେଇଥିଲେ । ବର୍ଷକ ଏହି ଦାବି ନେଇ ୧୪ଟି ରାଜ୍ୟର ମନ୍ତ୍ରୀ ଓ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଭେଟିଛନ୍ତି କିମ୍ବା ଅନଲାଇନ ଦାବିପତ୍ର ଦେଇଛନ୍ତି ରଂଜିତା ପ୍ରିୟଦର୍ଶନୀ । ତେବେ ଏହାକୁ ନେଇ ଅନେକଙ୍କ ମଧ୍ୟରେ ଭିନ୍ନ ମତ ରହିଛି ।

ଋତୁସ୍ରାବବେଳେ ସବୈତନିକ ଛୁଟି ପ୍ରଦାନର ଆବଶ୍ୟକତା ନାହିଁ ବୋଲି ଜଣେ ଡାକ୍ତର କହିଛନ୍ତି । ଏହି ସମୟରେ ସେମାନେ ଔଷଧ ଗ୍ରହଣ କରିପାରିବେ ବୋଲି କହିଛନ୍ତି । ଅନ୍ୟପଟେ ସାମାଜିକ କର୍ମକର୍ତା ରୁକ୍ମିଣୀ ପଣ୍ଡାଙ୍କ କହିବା କଥା, ଋତୁସ୍ରାବ ସମୟରେ ବାଳିକା କିମ୍ବା ମହିଳାମାନେ ଭୋଗୁଥିବା ଶାରିରୀକ କଷ୍ଟ ପାଇଁ ଗୋଟିଏ କିମ୍ବା ଦୁଇ ଦିନର ସବୈତନିକ ଛୁଟିର ଆବଶ୍ୟକତା ରହିଛି । କିନ୍ତୁ ସମସ୍ୟା ହେଲା,ଦେଶରେ ମହିଳା ସପକ୍ଷବାଦୀ ମାନସିକତା ନଥିବାରୁ ଚାକିରୀ କ୍ଷେତ୍ରରେ ମିଳୁଥିବା ସୀମିତ ସୁଯୋଗ ମହିଳାଙ୍କ ପାଇଁ ଆହୁରି ସୀମିତ ହୋଇ ପଡିବ ବୋଲି କେହି କେହି ମତ ଦେଉଛନ୍ତି ।