ଭୁବନେଶ୍ୱର ଓଭରବ୍ରିଜ ଭୁଶୁଡିବା ଘଟଣାର ତଦନ୍ତ ଆରମ୍ଭ ! ପଣ୍ଡା ଇନଫାଷ୍ଟ୍ରକଚରର ୩ ନିର୍ଦ୍ଦେଶକଙ୍କ ସମେତ ୨ ନିଲମ୍ବିତ ଯନ୍ତ୍ରୀଙ୍କ ବିରୋଧରେ ଏତଲା

36

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲ ନିର୍ମାଣଧୀନ ଓଭରବ୍ରିଜ ଭୁଶୁଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୋଲ ନିର୍ମାଣ ଦାୟିତ୍ୱ ନେଇଥିବା ପଣ୍ଡା ଇନଫ୍ରାଷ୍ଟ୍ରକଚର ୩ ଜଣ ନିର୍ଦ୍ଦେଶକ ଓ ଗତକାଲି ନିଲମ୍ବିତ ହୋଇଥିବା ୨ ଜଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନିଲମ୍ବିତ ଦୁଇ ଇଂଜିନିୟର ହେଉଛନ୍ତି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ଅନ୍ୟଜଣ ହେଉଛନ୍ତି କିଶୋର ରାଉତ ।

ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପୁରୀ-କଟକ ରୋଡରେ ସହିଦନଗର-ବମିଖାଲ ଓଭରବ୍ରିଜ ଭୁଷୁଡିବା ଫଳରେ ଜଣକର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ । ଉଦ୍ଧାର କାମ ପାଇଁ ପ୍ରାୟ ୭ ଘଂଟାର ଅପରେସନ କରାଯାଇଥିଲା । ଘଟଣା ପରେ ପୋଲିସ ମାମଲା ରୁଜୁ କରିଛି । ଘଟଣା ପରେ ଦୁଇଜଣ ଯନ୍ତ୍ରୀଙ୍କୁ ବି ନିଲମ୍ବିତ କରାଯାଇଛି । ଗତକାଲି ମଧାହ୍ନରେ ନିର୍ମାଣଧୀନ ପଳାଶୁଣି ଓଭରବ୍ରିଜ ଭୁଷୁଡିପଡିଥିଲା । ଢଳେଇ ହେଉଥିବାବେଳେ ହଠାତ୍ ଛାତ ଭୁଷୁଡିପଡିଥିଲା ଏଥିରେ ଅନେକ ଦବିଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର ।