ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଚ ଅଭିଯୋଗ : ୫୦୦ ଟଙ୍କା ଦେବା ପରେ ଶବ ବ୍ୟବଚ୍ଛେଦ କରିବାକୁ ରାଜି ହେଲେ କର୍ମଚାରୀ

340

କନକ ବ୍ୟୁରୋ : ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଚ । ୫୦୦ ଟଙ୍କା ଲାଞ୍ଚ ଦେବା ପରେ ଶବ ବ୍ୟବଚ୍ଛେଦ କରିବାକୁ ରାଜି ହେଲେ କର୍ମଚାରୀ । ଏଭଳି ଅଭାବନୀୟ ଚିତ୍ର ଆସିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ । ଗତକାଲି ବାଇଝରି ଗାଁର ନୀଳାଚଳ ନାୟକଙ୍କ ପୁଅ ସମୀର ପୋଖରୀରେ ବୁଡି ପ୍ରାଣ ହରାଇଥିଲା । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥାକେନ୍ଦ୍ରକୁ ପଠାଇଥିଲା ।

ହେଲେ ଏହା ଆମ କାମ ନୁହେଁ କହି ମୃତଦେହକୁ ଦୀର୍ଘ ସମୟ ଧରି ପକାଇ ରଖିଥିଲେ ସ୍ୱାସ୍ଥ୍ୟକେନ୍ଦ୍ରର ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏପରିକି ହଜାରେ ଟଙ୍କା ନଦେଲେ ଶବ ବ୍ୟବଚ୍ଛେଦ କରିବେ ନାହିଁ ବୋଲି ଅଡି ବସିଥିଲେ । ତେବେ କଥାବାର୍ତ୍ତା ପରେ ୫୦୦ ଟଙ୍କା ନେଇ ଶବ ବ୍ୟବଚ୍ଛେଦ କରିବାକୁ ରାଜି ହୋଇଥିଲେ ।

ସମ୍ପୃକ୍ତ କର୍ମଚାରୀ ଲାଞ୍ଚ ନେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଭିଡିଓ ଭାଇରାଲ ହେବା ପରେ ପୁରା ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି । ବ୍ୟବଚ୍ଛେଦ ପାଇଁ ଲାଞ୍ଚ ନେବା ଘଟଣା ଜଣାପଡିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଦନ୍ତ କରାଯିବ ବୋଲି କହିଛନ୍ତି ।