ମହଙ୍ଗା ପଡ଼ିଲା ବର୍ଣ୍ଣବୋଧ ବହି ପୋଡ଼ି । ଗିରଫ ହେଲା ଚିତ୍ର ଭାଇରାଲ କରିଥିବା ଯୁବକ, ପଦ୍ମଶ୍ରୀ ହଳଧର ନାଗଙ୍କ ନାଁରେ କରିଥିଲା ଅପପ୍ରଚାର ।

1,653

କନକ ବ୍ୟୁରୋ : ଓଡିଆ ବର୍ଣ୍ଣବୋଧ ପୋଡି ଏବଂ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ନେଇ ବିବାଦ ତେଜିବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରିଫ କରିଛି ପୋଲିସ୍ । ଆଇପିସିର ଧାରା ୪୧୯ ଏବଂ ୪୨୦ ସହ ଆଇଟି ଆକ୍ଟର ଧାରା ୬୬ରେ ରୁଜୁ ହୋଇଛି ମାମଲା । ଅନ୍ୟପଟେ ଏହି କୁକର୍ମ ସହ ପଦ୍ମଶ୍ରୀ ହଳଧର ନାଗଙ୍କୁ ଯୋଡିବାର ପ୍ରୟାସକୁ ନେଇ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି, ଫେସବୁକ କ’ଣ ତାଙ୍କୁ ଜଣାନାହିଁ, ଏପରି କାର୍ଯ୍ୟ କରୁଥିବା ଲୋକଙ୍କୁ ଧିକ୍କାର ।

ଛବିଳ ବଧୁ ବର୍ଣ୍ଣବୋଧର ଏହି ଦୃଶ୍ୟ, କାହାରିକୁ ବି ଉଦବେଳିତ କରିବା ସ୍ୱାଭାବିକ୍ । କାରଣ, ଇଏ କେବଳ ଏକ ବହି ନୁହେଁ, ଓଡ଼ିଆ ଭାଷା ଶିକ୍ଷାର ମୁଳଦୂଆ ପକାଉଥିବା ପ୍ରଥମ ପୁସ୍ତକ । ଯେଉଁ ବହି ଦେଖି କୁନି କୁନି ପିଲାମାନେ ନିଜ ମାତୃଭାଷାର ଅକ୍ଷର ଚିହ୍ନନ୍ତି । ସେଭଳି ଏକ ବହିକୁ ସର୍ବସାଧାରଣରେ ଜାଳିପୋଡ଼ି ପାଉଁଶ କରିବାର ଦୁଃସାହସ ହୋଇଛି । ଆଉ ଏହି ଚିତ୍ରକୁ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିଥିବା ଯୁବକ ବରଗଡ଼ ବୁରୋମୁଣ୍ଡା ଗାଁର ସାକେତ ସାହକୁ ଗିରଫ କରିଛି ପୁଲିସ୍ ।

ମହଙ୍ଗା ପଡ଼ିଲା ବର୍ଣ୍ଣାବୋଧ ପୋଡ଼ି । ଚିତ୍ର ଭାଇରାଲ କରିଥିବା ଯୁବକ ଗିରଫ । କଥା ଏତିକିରେ ସୀମିତ ନଥିଲା, ଏଭଳି ଏକ କୁକର୍ମ ସହ ପଦ୍ମଶ୍ରୀ ହଳଧର ନାଗଙ୍କୁ ଯୋଡ଼ିବାର ପ୍ରୟାସ ମଧ୍ୟ କରିଛି ଏହି ଯୁବକ । କୋଶଲୀ ସାହିତ୍ୟ ଏବଂ ବେନି ନାଁରେ ଫେସବୁକ୍ ଆକାଉଂଟ ଖୋଲି ଏହି ଚିତ୍ରକୁ ପୋଷ୍ଟ କରିବା ସହ ଭାଇରାଲ କରୁଥିଲା । ଯେଉଁଥିରେ ହଳଧର ନାଗଙ୍କ ନାଁକୁ ବ୍ୟବହାର କରାଯାଇଥିଲା । ଆଉ ଏହାକୁ ନେଇ ସୋସିଆଲ ମିଡ଼ିଆରେ ବିରୋଧ ହେବା ପରେ ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ୍ । ସେ କହିଛନ୍ତି, ତାଙ୍କ ଫଟୋ ଦେଖାଇ ଯେଉଁମାନେ ଓଡ଼ିଆ ବର୍ଣ୍ଣବୋଧକୁ ପୋଡିଛନ୍ତି ସେମାନଙ୍କୁ ମୁଁ ଧିକ୍କାର କରୁଛି ।

ଅଗଷ୍ଟ ମାସ ୨୦୧୮ । ଆଜିକୁ ପ୍ରାୟ ବର୍ଷକ ତଳେ ଘଟିଥିଲା ଏହି ବର୍ଣ୍ଣବୋଧ ବହି ପୋଡ଼ି ଘଟଣା । ଆଉ ଏହି ବର୍ଣ୍ଣବୋଧ ପୋଡ଼ି ପଛରେ ରହିଛି ଓଡ଼ିଆ ଭାଷାକୁ ବିରୋଧ । ଯେଉଁ ଯୁବକ ଏହି ଘଟଣାରେ ଗିରଫ ହୋଇଛନ୍ତି, ସେ କ୍ରମାଗତ ଭାବରେ ଓଡ଼ିଆ ଭାଷାକୁ ବିରୋଧ କରି ଆସୁଛନ୍ତି ।
ତେବେ ଏହି ଘଟଣା ସାରା ରାଜ୍ୟକୁ ସେତେବେଳେ ଆନ୍ଦୋଳିତ କରିଥିଲା, ଯେତେବେଳେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ପ୍ରବଳ ବିରୋଧ ହୋଇଥିଲା । ଆଉ ଶେଷରେ ଏହି ଘଟଣାରେ ସଂପୃକ୍ତ ଯୁବକକୁ ଗିରଫ କରିଛି ପୁଲିସ୍ । ଆଉ ତାଙ୍କ ବିରୋଧରେ ଆଇପିସିର ଧାରା ୪୧୯ ଏବଂ ଧାରା ୪୨୦ ସହ ଆଇଟି ଆକ୍ଟର ଧାରା ୬୬ରେ ମାମଲା ରୁଜୁ ହୋଇଛି ।