ସରକାରୀ ଯାଗାକୁ ନେଇ ଗୋଷ୍ଠୀ ସଂଘର୍ଷ , ୧୧ ଗୁରୁତର । ନବରଙ୍ଗପୁର ରାଇଳର ହାତୀବେନା ଗାଁର ଘଟଣା ।

83

କନକ ବ୍ୟୁରୋ: ସରକାରୀ ଜାଗାକୁ ନେଇ ନବରଙ୍ଗପୁର ରାଇଘର ହାତୀ ବେନା ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷର ୧୧ ଗୁରୁତର । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ହାତୀବେନା ଗାଁରେ ପ୍ରାୟ ଏକ ବର୍ଷ ଧରି ଏକ ସରକାରୀ ଜମିରେ ବସବାସ କରୁଥିବା ଏକ ଗୋଷ୍ଠୀ ସହିତ ଗ୍ରାମର ଅନ୍ୟ କିଛି ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବହୁ ବର୍ଷ ହେଲା ସେଠାରେ ବସବାସ କରୁଥିବା ପରିବାର ଲୋକଙ୍କୁ ହଟାଇବାକୁ ଯାଇ ଏହି ବିବାଦ ଚାଲିଥିବା ବେଳେ ଉଭୟ ଗୋଷ୍ଠୀ ସେହି ସମୟରେ ରାଇଘର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏଥିସହ ଘଟଣାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ, ରାଇଘର ତହସିଲଦାର ଓ ପୁଲିସ ପ୍ରଶାସନ ମଧ୍ୟ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ହେଁ ବିବାଦର ସମାଧାନ ହୋଇ ନଥିଲା । ତେବେ ଗତକାଲି ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା ।

ଉଭୟ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିବା ବେଳେ ୧୧ଜଣ ଗୁରୁତର ହୋଇଛନ୍ତି । ପରେ ଗୁରୁତରଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଖବର ପାଇ ପୁଲିସ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲା । ଗୁରୁତରଙ୍କ ମଧ୍ୟରୁ କିଛି ଜଣଙ୍କୁ ଉମରକୋଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେପଟେ ପୋଲିସ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।