ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା : ଦ୍ୱିତୀୟ ଦିନ ପାଇଁ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ; ଶ୍ରଦ୍ଧାଞ୍ଜଳିଙ୍କ ସହ ମୁହାଁମୁହିଁ କରାଯାଇପାରେ ପଚରାଉଚରା

102

କନକ ବ୍ୟୁରୋ : ଅଚ୍ଚର୍ନା ନାଗ ମାମଲାରେ ଆଜି ପୁଣି ଥରେ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଦ୍ୱିତୀୟ ଦିନ ପାଇଁ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ହାଜର ବେଳେ ପ୍ରତିକ୍ରିୟା ରଖି ଅକ୍ଷୟ ପରିଜା କହିଛନ୍ତି କିଛି ଗଣମାଧ୍ୟମ ଦାୟିତ୍ୱହିନ ଖବର ପ୍ରସାରଣ କରୁଛନ୍ତି । ଗତକାଲି ଅକ୍ଷୟ ପରିଜାଙ୍କୁ ୯ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଉଭୟ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମୁହାଁମୁହିଁ ଜେରା କରିପାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଅର୍ଚ୍ଚନା ଅକ୍ଷୟ ପରିଜାଙ୍କ ପାଖକୁ ଶ୍ରଦ୍ଧାଞ୍ଜଳିକୁ ପଠାଇଥିଲେ । ତାଙ୍କ ସହ ବନ୍ଧୁତା ସ୍ଥାପନ କରି ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ ଉଠାଇବାକୁ କହିଥିଲେ । ପରେ ଅର୍ଚ୍ଚନା ଅକ୍ଷୟ ପରିଜାଙ୍କୁ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ କହି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ଏବେ ମୁହାଁମୁହିଁ ଜେରା ହେଲେ ଅନେକ ଗୁମର ପଦାକୁ ଆସିପାରେ ।

ଅନ୍ୟପଟେ ଶ୍ରଦ୍ଧାଞ୍ଜଳି ହେଉଛନ୍ତି ସେହି ଯୁବତୀ ଯାହାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କୁ ବାନ୍ଧିଥିଲା ପୋଲିସ । ସେ ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ଆଧାରରେ ପୋଲିସ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ମାମଲା ରୁଜୁ କରିଥିଲା । ହେଲେ, ଏଫଆଇଆର ଦେବା ପରେ ସେ ଆଉ ସାମନାକୁ ଆସି ନାହାଁନ୍ତି । ଏବେ ଗିରଫଦାରୀକୁ ଏଡ଼ାଇବାକୁ ଆଗୁଆ ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ।