ଇଂଲଣ୍ଡ- ଅଷ୍ଟ୍ରେଲିଆ ଆସେସ୍ ସିରିଜ୍: ଚତୁର୍ଥ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ ଝଟକା , ମୁଖ୍ୟ କୋଚ୍ କୋଭିଡ୍ ପଜିଟିଭ୍

103

କନକ ବ୍ୟୁରୋ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା ଆସେସ୍ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ଇଂଲଣ୍ଡ ଦଳକୁ ମିଳିଛି ବଡ ଝଟକା । ଦଳର ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ବହୁ ପୂର୍ବରୁ ସେ ନିଜକୁ ଆଇସୋଲେସନରେ ରଖିଥିବା ନେଇ ଇଂଲଣ୍ଡ ଓ ୱେଲସ୍ କ୍ରିକେଟ୍ ବୋର୍ଡ ପକ୍ଷରୁ କୁହାଯାଇଛି ।

ଇସିବି ନିଜ ବୟାନରେ କହିଛନ୍ତି, ସିଲଭରଉଡ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଦଳଠାରୁ ଅଲଗା ରହିବେ । ତାଙ୍କ ପାଖରେ କରୋନାର ସାମାନ୍ୟତମ ଲକ୍ଷଣ ଦେଖିିବାକୁ ମିଳିଛି । ତେବେ ସେ କୋଭିଡ୍ ଟିକା ନେଇସାରିଛନ୍ତି । ପଞ୍ଚମ ଟେଷ୍ଟରେ ସେ ଦଳ ସହ ସାମିଲ ହୋଇପାରନ୍ତି ବୋଲି ଇସିବି ପକ୍ଷରୁ କୁହାଯାଇଛି ।

ତେବେ ଚତୁର୍ଥ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ପାଇଁ ଏବେ ସମସ୍ୟା ବଢି ବଢି ଚାଲିଛି । କାହିଁକି ନାଁ ବୋଲିଂ କୋଚ୍ ଜନ୍ ଲୁଇସ୍, ସ୍ପିନ୍ ମେଣ୍ଟର ଜିତନ ପଟେଲ ଓ କଡିଶନିଂ ବିଶେଷଜ୍ଞ ଡେରେନ୍ ବେନେଓ ମଧ୍ୟ ଆଇସୋଲେସନରେ ଅଛନ୍ତି । ତେଣୁ ଇଂଲଣ୍ଡ ଦଳରେ ଏବେ କୋଚିଂ ଷ୍ଟାଫଙ୍କ ଅଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ କ୍ରଲି କହିଛନ୍ତି, ଟିମରୁ ଏବେ ଅନେକ ସପୋର୍ଟ ଷ୍ଟାଫ୍ ଗାଏବ୍ ଅଛନ୍ତି । ହେଲେ ଦଳର ଖେଳାଳିମାନେ ଏବେ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ଇଂଲଣ୍ଡର ଖେଳାଳିମାନେ ଏହି ସମସ୍ୟାରୁ ନିଶ୍ଚୟ ମୁକୁଳିବେ । ତେବେ ସେ ନିଜେ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଉତ୍ସୁକ ଥିବା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ସେ ଆଗାମୀ ସିଡନୀ ଟେଷ୍ଟରେ ଦଳରେ ଉପଲବ୍ଧ ହେବେ ନାହିଁ । ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକଗ୍ରା ମଧ୍ୟ କୋଭିଡ୍ ସଂକ୍ରମିତ ହୋଇଛନ୍ତି ।