କନକ ବ୍ୟୁରୋ: ଅପରେସନ ଗଜରାଜ । ଦୀର୍ଘ ସମୟର ଉଦ୍ୟମ ପରେ କୂଅରୁ ହାତୀ ଛୁଆକୁ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର- ନୂଆଜଗନ୍ନାଥ ସଡକ ରାସ୍ତା କଡରେ ଥିବା ଏକ କୂଅରୁ ହାତୀ ଛୁଆଟିକୁ ଉଦ୍ଧାର କରାଯାଇଥିଲା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାତୀଟି କୂଅରୁ ଉଦ୍ଧାର ହେବା ପରେ ଆଉ ଏକ କେନାଲରେ ପଡିଯାଇଥିଲା । ପୁଣି ତାକୁ କେନାଲରୁ ଉଦ୍ଧାର କରି ଚିକିତ୍ସା ପାଇଁ ଓୟୁଏଟିକୁ ଅଣାଯାଇଛି । ଏଠାରେ ଚିକିତ୍ସା ସରିବା ପରେ ଛୁଆହାତୀଟିକୁ ନନ୍ଦନକାନନରେ ଛଡାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ହାତୀ ଛୁଆ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ମଞ୍ଜରିଆପାଟଣା ଗ୍ରାମର ପ୍ରଭାକର ବେହେରାଙ୍କ କୂଅରେ ପଡିଥିବା ଜଣାପଡ଼ିବା ପରେ ସେଠାରେ ଗହଳି ଲାଗିଥିଲା । ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବିଭାଗ ଓ ବନବିଭାଗକୁ ଖବର ଦେବା ପରେ ଉଭୟ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ହାତୀ ଛୁଆଟିକୁ କୂଅରୁ ଉଦ୍ଧାର କରିଥିଲେ ।
କୂଅରୁ ଉଦ୍ଧାର ହେବା ପରେ ଏତେ ଲୋକଙ୍କୁ ଦେଖି ଭୟଭୀତ ହାତୀ ଛୁଆଟି ସେଠାରୁ ଦୌଡ଼ିଯାଇ ଏକ କେନାଲରେ ପଡ଼ି ଯାଇଥିଲା । ତାକୁ ସେଠାରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଖୋର୍ଦ୍ଧା ନର୍ସରି ପରିସରରେ ଥିବା ଏକ ଖୁଆଡ଼ ମଧ୍ୟରେ ରଖାଯାଇଛି ।