ଅନନ୍ୟ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ : ପିକନିକ୍ ଋତୁରେ ମା’ ଅମ୍ବିକାଙ୍କ ଦର୍ଶନ କରିବା ସହ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ

548

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ । ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ବର୍ତ୍ତମାନ ଶୀତ ଋତୁରେ ମା’ ଅମ୍ବିକାଙ୍କ ପୀଠ ରୂପେ ପରିଚିତ ଏହି ସ୍ଥାନରେ ବଣଭୋଜି ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ବେଶ ମଜା ନେଉଛନ୍ତି ପର୍ଯଟକ । ନିକଟରେ ଥିବା ଦେଓନଦୀର କାଚକେନ୍ଦୁ ପରି ଜଳ ପର୍ଯ୍ୟଟକଙ୍କୁ ମନ ମୋହୁଛି । ସବୁଜ ବାନାନୀରେ କିଛି ନିରୋଳା ମୁହୂର୍ତ୍ତ ବିତାଇବା ପାଇଁ ତଥା ମା ଅମ୍ବିକାଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଶହ ଶହ ଲୋକଙ୍କ ଆଗମନ ହେଉଛି ।

ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଉଦଳା ନିକଟସ୍ଥ ଦେବକୁଣ୍ଡ ମା’ଙ୍କ ପୀଠ ରୂପେ ପରିଚିତ । ଦେଖନ୍ତୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ କିପରି ଭିଡ଼ ଜମିଛି । ମା’ଙ୍କ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକ ବିମୋହିତ ହେଉଛନ୍ତି । ଝରଣାର କୁଳୁକୁଳ ନାଦ ସାଙ୍ଗକୁ ଘଂଚ ଜଙ୍ଗଲ । ନାଚଗୀତ ସାଙ୍ଗକୁ ଝରଣାରେ ଗାଧୋଇବାର ମଜା ନିଆରା । ମା’ଙ୍କ ମହିମା ପର୍ଯ୍ୟଟକଙ୍କୁ ଅଧ୍ୟାତ୍ମିକ ବନ୍ଧନରେ ବାନ୍ଧିରଖୁଛି । ମା’ଙ୍କ ଆଶିର୍ବାଦ ପାଇବା ପାଇଁ ଏହି ସ୍ଥାନ ଲୋକାରଣ୍ୟ ହୋଇପଡ଼ିଛି । ପିକନିକ୍ ଋତୁରେ ମା’ ଅମ୍ବିକାଙ୍କ ଦର୍ଶନ ସାରି ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

ପଞ୍ଚସାଗର ତୀର୍ଥ ଭାବେ ପରିଚିତ ଏହି ଶକ୍ତି ପୀଠ ମା’ ଅମ୍ବିକାଙ୍କ ପ୍ରତକ୍ଷ୍ୟ ସ୍ଥଳ ଭାବେ ପୌରଣିକ ଗାଥା ରହିଛି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବକୁଣ୍ଡରେ ଦେବାଦେବୀ ମାନେ ସ୍ନାନ କରୁଥିଲେ । ଏଠାରେ ପାଂଚଟି କୁଣ୍ଡ ରହିଛି । ପ୍ରକୃତି କୋଳରେ ରହି ମା ଜନମାନସକୁ ରକ୍ଷା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ମୟୂରଭଞ ମହାରାଜା ଏହାକୁ ଅବିଷ୍କାର କରି ପୂଜା କରିବାର ବ୍ୟବସ୍ଥା କରିଥିଲେ ।

ଏହି ମନୋରମ ସ୍ଥଳୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମିତି କିଛି ବ୍ୟବସ୍ଥା ନାହିଁ । ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ପାହାଡିଆ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼ୁଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ପର୍ଯ୍ୟଟକ କହିଛନ୍ତି ।