ଅନ୍ଧାରରେ ଏୟାର ଇଣ୍ଡିଆର ଭବିଷ୍ୟତ । କେହି ଅଂଶଧନ ନ କିଣିଲେ ଜୁନ୍ ସୁଦ୍ଧା ବନ୍ଦ ହୋଇଯିବ ଏୟାର ଇଣ୍ଡିଆ ।

178

କନକ ବ୍ୟୁରୋ : ଜୁନ୍ ସୁଦ୍ଧା ବନ୍ଦ ହୋଇଯାଇପାରେ ଏୟାର ଇଣ୍ଡିଆ । ଏକଦା ମହାରାଜା ଭାବେ ଜଣାଯାଉଥିବା ଏୟାର ଇଣ୍ଡିଆର ଭବିଷ୍ୟତ ଏବେ ଅନ୍ଧାରରେ । ଯଦି ଜୁନ୍ ସୁଦ୍ଧା କୌଣସି କ୍ରେତା ନ ମିଳନ୍ତି ତେବେ ଏୟାର ଇଣ୍ଡିଆ ଏୟାରଲାଇନ୍ସ ବନ୍ଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଏବେ ଋଣ ଭାରରେ ବୁଡି ରହିଛି । ତେଣୁ କମ୍ପାନିକୁ ଅଧିକ ଦିନ ଧରି ଚଲାଇବା ସମ୍ଭବପର ନୁହେଁ ।

ଜେଟ ଏୟାରୱେଜ ଭଳି ଏୟାର ଇଣ୍ଡିଆର ମଧ୍ୟ ସମାନ ଅବସ୍ଥା ହୋଇପାରେ । କାରଣ ପ୍ରାୟ ୬୦ ହଜାର କୋଟି ଋଣ ଭାରରେ ବୁଡି ରହିଛି ଏୟାର ଇଣ୍ଡିଆ । ପରିଚାଳନା ପାଇଁ ୨୪୦୦ କୋଟିର ଟଙ୍କାର ଆବଶ୍ୟକତା ଥିବା ବେଳେ ସରକାର ୫୦୦ କୋଟି ଟଙ୍କା ଦେଇଛନ୍ତି । ଏହାଠାରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ନାହିଁ ବୋଲି ସରକାର ରୋକଠୋକ ମନା କରିଛନ୍ତି । ତେଣୁ ବିନା ସରକାରୀ ସହାୟତାରେ କମ୍ପାନିକୁ ଦୀର୍ଘଦିନ ଧରି ଚଲାଇବା ସମ୍ଭବପର ହୋଇନପାରେ ।

ଏସବୁ ଭିତରେ କମ୍ପାନିକୁ ଘରୋଇକରଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଏଥିରେ ମଧ୍ୟ କୌଣସି ସଫଳତା ମିଳିପାରିନାହିଁ । ଆସନ୍ତାବର୍ଷ ଜୁନ୍ ସୁଦ୍ଧା କମ୍ପାନିକୁ କିଣିବାକୁ କେହି ଆଗେଇ ନ ଆସିଲେ ଜେଟ ଏୟାରୱେଜ ଭଳି ସ୍ଥିତି ଉପୁଜିପାରେ । ଏହାପୂର୍ବରୁ ୨୫ ବର୍ଷ ଧରି ସେବା ଯୋଗାଇବା ପରେ ଆର୍ଥିକ ସମସ୍ୟା ଯୋଗୁଁ ଜେଟ ଏୟାରୱେଜ ବନ୍ଦ ହୋଇଛି ।

ଏୟାର ଇଣ୍ଡିଆକୁ ଜେଆରଡି ଟାଟା ସର୍ବପ୍ରଥମେ ୧୯୩୨ରେ ଟାଟା ଏୟାରଲାଇନ୍ସ ନାମରେ ଲଞ୍ଚ କରିିଥିଲେ । ୧୯୪୬ରେ ଏହାର ନାମ ପରିବର୍ତ୍ତନ କରି ଏୟାର ଇଣ୍ଡିଆ କରାଯାଇଥିଲା । ୧୯୫୩ରେ ସରକାର ଏହାକୁ ଟାଟା କମ୍ପାନି ଠାରୁ କିଣିଥିଲେ । ସେବେଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଲାଭରେ ଚାଲିଥିଲା । କିନ୍ତୁ ୨୦୦୧ରେ କମ୍ପାନିକୁ ପ୍ରଥମେ ୫୭ କୋଟି ଟଙ୍କାର କ୍ଷତି ହୋଇଥିଲା ।

୨୦୦୭ରେ କେନ୍ଦ୍ର ଏୟାର ଇଣ୍ଡିଆକୁ ଇଣ୍ଡିଆନ୍ ଏୟାରଲାଇନ୍ସରେ ବିଲୟ କରାଯାଇଥିଲା । ଆଉ ଏହିଠାରୁ ଆରମ୍ଭ ହୋଇଥିଲା ଏୟାର ଇଣ୍ଡିଆର ଅନ୍ଧାରୀ ଯୁଗ । କ୍ଷତିର ପରିମାଣ ୭୭୦ କୋଟି ଟଙ୍କାରୁ ବଢି ୭୨୦୦ କୋଟି ଟଙ୍କାରେ ପହଞ୍ଚିଥିଲା । ଆଉ ଏହାର ଭରଣା ପାଇଁ କମ୍ପାନି ପ୍ରଥମେ ନିଜର ବିମାନ ବିକ୍ରି କରିବା ଆରମ୍ଭ କରିଥିଲା । ସମୟ ବିତିବା ସହ ଋଣର ପରିମାଣ ବଢି ବଢି ୫୮ ହଜାର କୋଟିରେ ପହଞ୍ଚି ଥିଲା । ଏବେ ସ୍ଥିତି ଏଭଳି ହୋଇଛି ଯେ, ତେଲ କମ୍ପାନିକୁ ଇନ୍ଧନ ପାଇଁ ବାକି ଟଙ୍କା ମଧ୍ୟ ଦେଇପାରୁନାହିଁ କମ୍ପାନି । ତେଣୁ ଇନ୍ଧନ ନ ଦେବାକୁ ଧମକ ଦେବା ଆରମ୍ଭ କରିଛି ତେଲ କମ୍ପାନି । ଏଭଳି ସ୍ଥିତିରେ ଯଦି କମ୍ପାନିର ଅଂଶଧନ କିଣିବାକୁ କେହି ରାଜି ନ ହୁଅନ୍ତି ତେବେ ଜୁନ୍ ସୁଦ୍ଧା ବନ୍ଦ ହୋଇଯିବ ଭାରତର ମହାରାଜା ଏୟାର ଇଣ୍ଡିଆ ।