ପିଲାଙ୍କୁ ଦେଶୀ ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି । ୧୨ ବର୍ଷରୁ ୧୮ ବର୍ଷ ପିଲା ନେଇପାରିବ ଟିକା

124

କନକ ବ୍ୟୁରୋ : କରୋନାର ନୂଆ ପ୍ରଜାତି ଓମିକ୍ରନ ଭୟ ଭିତରେ ଏକ ଭଲ ଖବର ଆସିଛି । ପିଲାଙ୍କ ପାଇଁ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଅନୁମତି ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ । ଏହି ଟିକା ୧୨ ରୁ ୧୮ ବର୍ଷ ବୟସ୍କଙ୍କୁ ଜରୁରୀକାଳିନ ଟିକାକରଣ ପାଇଁ ଅନୁମତି ମିଳିଛି । ଯେତେବେଳେ ବିଶେଷଜ୍ଞମାନେ ପିଲାଙ୍କୁ ଟିକା ଦେବାକୁ ଗୁରୁତ୍ୱ ଦେଉଛନ୍ତି, ସେତିକିବେଳେ ଡିସିଜିଆଇ ଏହି ଅନୁମତି ଦେଇଛନ୍ତିି । ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକାକୁ ଅନୁମତି ଦେଇ ନାହାଁନ୍ତି ସରକାର । ଆମେରିକା ଓ ବ୍ରିଟେନ୍ ଭଳି ଦେଶରେ ବହୁ ପୂର୍ବରୁ ପିଲାମାନଙ୍କୁ ଟିକା ଦିଆଯାଉଛି ।
ସେପଟେ, ଦଶରେ ଯେତେବେଳେ କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯେତେବେଳେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି ସେତିକିବେଳେ ଦେଶବାସୀଙ୍କୁ ସମ୍ବୋଦ୍ଧିତ କରି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୩ରୁ ଦେଶବ୍ୟାପି ଟିକାକରଣ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । କହିଛନ୍ତି, ଜାନୁଆରୀ ୩ ରୁ ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ସେହିପରି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରିକସନ ଡୋଜ୍ ବା ବୁଷ୍ଟର ଡୋଜ୍ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହେବ । ୬୦ ବର୍ଷରୁ ଅଧିକ ବୟସ୍କ ଯେଉଁମାନେ ଜଟିଳ ରୋଗରେ ପୀଡିତ, ସେମାନଙ୍କୁ ମଧ୍ୟ ତୃତୀୟ ଡୋଜ୍ ଦିଆଯିବ । କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ । ତେବେ ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ମୋଦି ।