ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ କନ୍ଦଳ ମେଣ୍ଟାଇବାକୁ ପଞ୍ଜାବର କଂଗ୍ରେସ ବିଧାୟକଙ୍କ ସହ ଆଜି ରାହୁଲ ଗାନ୍ଧୀଙ୍କ ବୈଠକ

138

କନକ ବ୍ୟୁରୋ : ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ତା ପୂର୍ବରୁ ଶାସକ କଂଗ୍ରେସ ଦଳ ଭିତରେ ଲାଗି ରହିଥିବା କନ୍ଦଳକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦଳୀୟ କନ୍ଦଳକୁ ମେଣ୍ଟାଇବାକୁ ଆଜି ପଞ୍ଜାବର ଦଳୀୟ ବିଧାୟକଙ୍କ ସହ ବୈଠକ କରିବେ ।

ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ବିରୋଧରେ ନବଜାତସିଂ ସିଦ୍ଧୁ ଓ ଅନ୍ୟକିଛି ନେତା ମୋର୍ଚ୍ଚା ଖୋଲିଛନ୍ତି । ଏଭଳି ସ୍ଥଳେ ଅମରିନ୍ଦରସିଂ ତାଙ୍କ ଜିଦରେ ଅଟଳ ରହିଛନ୍ତି । ସେପଟେ ଏହି କନ୍ଦଳକୁ ମେଣ୍ଟାଇବାକୁ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀରେ ବି ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ କନ୍ଦଳ ମେଣ୍ଟିବାରେ ନାଁ ନେଉନି ।

ରାହୁଲ ଗାନ୍ଧୀ ଆଜି ପଞ୍ଜାବର ଦଳୀୟ ବିଧାୟକଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ଦିଲ୍ଲୀ ସ୍ଥିତ ରାହୁଲ ଗାନ୍ଧୀଙ୍କ ବାସଭବନରେ ହେବ ବୋଲି ଜଣାପଡିଛି । ଆଶା କରାଯାଉଛି କି ଆଜି ରାହୁଲ ଗାନ୍ଧୀ କଂଗ୍ରେସ ବିଧାୟକଙ୍କ କଥା ଶୁଣି ପାରନ୍ତି ।

କହିରଖୁ କି କିଛିଦିନ ପୂର୍ବରୁ ପଞ୍ଜାବର କଂଗ୍ରେସ ନେତା ସୁନୀଲ ଝାକଡ, ପ୍ରତାପ ସିଂ ବାଜୱା ସମେତ ଅନ୍ୟ କିଛି ନେତାଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକ ପରେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍ ରାୱତ କହିଥିଲେ କି ଜୁଲାଇ ମାସ ପୂର୍ବରୁ ପଞ୍ଜାବରେ ଦଳ ଭିତରେ ଲାଗି ରହିଥିବା କନ୍ଦଳର ସମାଧାନ କଂଗ୍ରେସ ଅଧ୍ୟକ୍ଷ କରିବେ ।

ସୂଚନା ଥାଉକି ଦୀର୍ଘଦିନ ହେବ ନବଜାତସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ବିରୋଧରେ ଦଳୀୟ ନେତାଙ୍କୁ ଏକତ୍ରୀତ କରିବାରେ ଲାଗିଛନ୍ତି । ଏହାକୁ ନେଇ ରାଜ୍ୟ କଂଗ୍ରେସ ତରଫରୁ ଏକ କମିଟି ଗଠନ କରାଯାଇଛି । ଏହି କମିଟିକୁ କ୍ୟାପଟେନ ଅମରିନ୍ଦର ସିଂ ସିଦ୍ଧୁଙ୍କ ବୟାନବାଜୀକୁ ନେଇ ବାରମ୍ବାର ଅଭିଯୋଗ କରୁଛନ୍ତି ।