ବୁଧବାରରୁ ବଢିବ ଥଣ୍ଡା ! ୨ଡିଗ୍ରୀକୁ ଖସିପାରେ ପାରଦ

32

କନକ ବ୍ୟୁରୋ: ଶ୍ରୀଲଙ୍କା ଏବଂ ତାମିଲନାଡ଼ୁ ଉପକୂଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି କେରଳ ଉପକୂଳକୁ ଗତି କରିଛି । ଫଳରେ ଆଜି, ଆସନ୍ତାକାଲି ଉପକୂଳ ଏବଂ ଦକ୍ଷିଣରେ ବର୍ଷା ହେବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା, ତା’ର ସମ୍ଭାବନା କ୍ଷୀଣ । ଆସନ୍ତାକାଲି ବର୍ଷା ହେଲେ ବି କାଁ ଭାଁ ଏବଂ ଅଳ୍ପ କିଛି ସ୍ଥାନରେ ହୋଇପାରେ । ତେବେ ବୁଧବାର ଦିନଠାରୁ ଥଣ୍ଡାର ପ୍ରକୋପ ବଢ଼ିବ । ଏକାଥରକେ ୨ଡିଗ୍ରୀରୁ ଅଧିକ ଖସିପାରେ ପାରଦ ।

ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଓଡ଼ିଶାର ବାୟୁମଣ୍ଡଳରେ କିଛି ପରିମାଣରେ ଜଳୀୟବାଷ୍ପ ସୃଷ୍ଟି ହୋଇଛି । ଗତକାଲି ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୫୦ରୁ ୬୦ ପ୍ରତିଶତ । ଫଳରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ଥଣ୍ଡା ସାମାନ୍ୟ କମିଛି । ବିଶେଷ କରି ଦିନର ତାପମାତ୍ରା ଅଧିକ ରହିଛି । ଏହାର ଲକ୍ଷଣ ସ୍ୱରୂପ ଉପକୂଳ, ଦକ୍ଷିଣର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା କମିଯାଇଥିବା ବେଳେ ଗତକାଲି ଏହା ୩୦ପ୍ସ ଉପରେ ରହିଛି । ଏଭଳି ୨/୩ ଦିନ ଥଣ୍ଡା କମ୍ ରହିବ ଥଣ୍ଡା । ସେପଟେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମରେ ଥଣ୍ଡାର ପ୍ରକୋପ ଅପରିବର୍ତ୍ତିତ ରହିଛି । ଏହାର କାରଣ ହେଉଛି ସେସବୁ ସ୍ଥାନରେ ପାଗ ସଂପୂର୍ଣ୍ଣ ଶୁଖିଲା । ବାୟୁମଣ୍ଡଳରୁ ଜଳୀୟବାଷ୍ପ ସଂପୂର୍ଣ୍ଣ ରୂପେ ଶୁଖିଗଲେ ଦକ୍ଷିଣ ଏବଂ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ରାତି ସହିତ ଦିନର ତାପମାନ ବି କମିବ। ତଥାପି ଉତ୍ତର ପୂର୍ବ ହିମାଳୟ ଅବବାହିକା, ସିକିମ, ବିହାର ଆଦି ସ୍ଥାନଗୁଡ଼ିକରୁ ଥଣ୍ଡା ପବନ ରାଜ୍ୟ ଭିତରକୁ ବହୁଛି । ପବନର ବେଗ ଘଣ୍ଟା ପିଛା ରହିଛି ୨୦ରୁ ୨୫ କି.ମି.।

ଗତକାଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରୀ ସେଲ୍ସିୟସ ଥିବା ବେଳେ ଫୁଲବାଣୀରେ ରହିଛି ୧୩ଡିଗ୍ରୀ । ସେହିପରି ହୀରାକୁଦରେ ୧୪.୬ଡିଗ୍ରୀ, କୋରାପୁଟରେ ୧୪.୮ଡିଗ୍ରୀ, ଭବାନୀପାଟଣାରେ ୧୫.୫ଡିଗ୍ରୀ, କେନ୍ଦୁଝରରେ ୧୫.୮ଡିଗ୍ରୀ, ସୁନ୍ଦରଗଡ଼ରେ ୧୬ଡିଗ୍ରୀ, ଅନୁଗୁଳରେ ୧୬.୬ଡିଗ୍ରୀ, ସମ୍ବଲପୁରରେ ୧୭.୩ଡିଗ୍ରୀ, ଝାରସୁଗୁଡ଼ାରେ ୧୭.୫ଡିଗ୍ରୀ, ବଲାଙ୍ଗୀରରେ ୧୮ଡିଗ୍ରୀ, କଟକରେ ୧୮.୨ଡିଗ୍ରୀ, ଟିଟିଲାଗଡ଼, ସୋନପୁରରେ ୧୮.୫ଡିଗ୍ରୀ, ବାରିପଦାରେ ୧୮.୬ଡିଗ୍ରୀ, ଭୁବନେଶ୍ୱରରେ ୧୮.୯ଡିଗ୍ରୀ, ବାଲେଶ୍ୱରରେ ୧୯.୧ଡିଗ୍ରୀ, ମାଲକାନଗିରିରେ ୧୯.୬ଡିଗ୍ରୀ, ତାଳଚେର, ଗୋପାଳପୁରରେ ୧୯.୭ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ବାଲେଶ୍ୱର, ଚାନ୍ଦବାଲି, କଟକ, ପାରାଦୀପ, ଭୁବନେଶ୍ୱର, ଗୋପାଳପୁର, ପୁରୀ ଆଦି ଉପକୂଳ ଏବଂ ଦକ୍ଷିଣ ସ୍ଥାନଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା ୩୦ଡିଗ୍ରୀରୁ ଅଧିକ ରହିଛି ।