ଚାଲିଛି ଦ୍ରୌପଦୀ ମୁର୍ମୁଙ୍କ ଶପଥପାଠ ଉତ୍ସବର ଅତିଥି ତାଲିକା ପ୍ରସ୍ତୁତି । ଶପଥ ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ

271

କନକ ବ୍ୟୁରୋ: ଦେଶର ପରବର୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତାଙ୍କୁ ଅପେକ୍ଷା କରିଛି ରାଇସିନା ହିଲ । ସୋମବାର ଦିନ ସେ ରାଷ୍ଟ୍ରପତି ଭାବେ ଶପଥ ନେବେ । ପାର୍ଲାମେଂଟର ସେଂଟ୍ରାଲ ହଲରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶପଥ ପାଠ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା କରାଯାଉଛି । ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶପଥ ଗ୍ରହଣରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିପାଇଁ ଆଜି ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ସୋମବାର ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ଗସ୍ତ ଅବସରରେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀଙ୍କ ସହ ଫୋନ୍ରେ କଥା ହୋଇଥିଲେ । ଓଡ଼ିଶାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତା ପାଇଁ ରାଜ୍ୟବାସୀ ଗର୍ବିତ ବୋଲି କହିଥିଲେ ।