କଂଗ୍ରେସ ପାଇଁ କୁହୁଳୁଛି ‘ନାଗରିକତା’ ନିଆଁ । ଦେଶବ୍ୟାପୀ ହେଉଥିବା ହିଂସା ପଛରେ ଅଛି କଂଗ୍ରେସର ହାତ- ମୋଦି

546

କନକ ବ୍ୟୁରୋ: ହିଂସା ପଛରେ ଅଛି କଂଗ୍ରେସର ହାତ । ଦେଶରେ ଜଳୁଥିବା ନାଗରିକତା ନିଆଁ କଂଗ୍ରେସ ପାଇଁ କୁହୁଳୁଛି । ସାରା ଦେଶରେ ନାଗରିକତା ଆଇନ ନେଇ ବିରୋଧୀ ଅପପ୍ରଚାର କରୁଥିବା ବେଳେ କଂଗ୍ରେସ ଧରିଛି ଗୁଜବ ପ୍ରଚାର କରିବାର ମଙ୍ଗ । ନିଜ ସ୍ୱାର୍ଥ ହାସଲ ସହ ରାଜନୀତି କରିବାକୁ କଂଗ୍ରେସ ଏପରି ଘୃଣ୍ୟ କାମ କରୁଛି ବୋଲି ମୋଦି ସିଧାସିଧା କହିଛନ୍ତି ।

ଝାଡଖଣ୍ଡର ଏକ ସଭାରୁ ମୋଦି କଂଗ୍ରେସ କ୍ୟାମ୍ପକୁ ମିଶାଇଲ ମାରିଛନ୍ତି । ତେବେ ନାଗରିକତା ଆଇନ ଦ୍ୱାରା କୌଣସି ସଂପ୍ରଦାୟ ପ୍ରଭାବିତ ହେବେନି । ଏଥିସହ କୌଣସି ଧର୍ମର ନାଗରିକମାନେ ମଧ୍ୟ ଅସୁବିଧା ଭୋଗିବେନି ବୋଲି ମୋଦି କହିଛନ୍ତି । କିନ୍ତୁ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ କଂଗ୍ରେସ ଏହାକୁ ନେଇ ମିଥ୍ୟା ପ୍ରଚାର କରୁଛି,ଏହାକୁ ନେଇ ସେମାନେ ସାରା ଦେଶରେ ହିଂସା ସୃଷ୍ଟି କରୁଛନ୍ତି । ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସେମାନେ ମୁସଲିମମାନଙ୍କୁ ଦେଶ ବିରୁଦ୍ଧରେ ଉସୁକାଉଛନ୍ତି ।

ଦେଶର ଛାତ୍ରସମାଜକୁ ସମ୍ବୋଧନ କରି ସେ କହିଛନ୍ତି ଯେ ସେମାନେ ନିଜ ଶିକ୍ଷାନୁଷ୍ଠାନର ଗୁରୁତ୍ୱ ବୁଝିବା ଆବଶ୍ୟକ । ସେମାନେ ସହରୀ ନକ୍ସଲଙ୍କ ହାତ ବାରିସି ହୁଅନ୍ତୁ ନାହିଁ । ଯଦି ସେମାନଙ୍କର କୌଣସି ସରକାରୀ ନୀତିକୁ ନେଇ ଆପତ୍ତି ଅଛି ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ କରିପାରିବେ । ସରକାରଙ୍କ ନିକଟରେ ସେମାନେ ନିଜର ଆପତ୍ତି ଅଭିଯୋଗକୁ ପହଞ୍ଚାଇପାରିବେ । ସେ କହିଛନ୍ତି ଯେ କଂଗ୍ରେସ, ବାମପନ୍ଥୀ ଓ ଆରଜେଡ଼ି ସବୁବେଳେ ଲୋକମାନଙ୍କୁ ଡରାଇ ଆସିଛନ୍ତି । ଝାଡ଼ଖଣ୍ଡ ପ୍ରଦେଶ ଗଠନ ହେବାବେଳେ ମଧ୍ୟ ସେମାନେ ସରଳ ଆଦିବାସୀମାନଙ୍କୁ ଡରାଇଥିଲେ । କିନ୍ତୁ ବିଜେପିର ଉଦ୍ୟମ ଫଳରେ ଝାଡ଼ଖଣ୍ଡରେ ଆଜି ଅନେକ ବିକାଶ ହୋଇପାରିଛି ।