କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ୮ରୁ ୪୮ ଘଣ୍ଟିଆ ଧର୍ମଘଟ କରିବ କେନ୍ଦ୍ରୀୟ ଶ୍ରମିକ ସଂଗଠନ

୮ରୁ ୪୮ ଘଣ୍ଟିଆ ଧର୍ମଘଟ କରିବ କେନ୍ଦ୍ରୀୟ ଶ୍ରମିକ ସଂଗଠନ

155

କନକ ବ୍ୟୁରୋ : ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ଆସନ୍ତା ୮ ଓ ୯ ତାରିଖରେ ଦୁଇ ଦିନିଆ ଧର୍ମଘଟ କରିବେ। ୮ ତାରିଖ ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ। ଧର୍ମଘଟରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟ ସ୍ତରର ବିଭିନ୍ନ ସ୍ବାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ଯୋଗଦେବେ।

 

ମୋଦୀ ସରକାରଙ୍କ ଆର୍ଥିକ ନୀତି ସାଧାରଣ ଲୋକ ଓ ଗରିବ ବିରୋଧୀ। ଏହି ସରକାର ଭାରତର ବଡ଼ କମ୍ପାନୀ, ବହୁଦେଶୀୟ କମ୍ପାନୀ ସମେତ ପୁଞ୍ଜିପତିଙ୍କ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛି। ଏହାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ଜରିଆରେ ମୋଦୀ ସରକାରଙ୍କୁ ସତର୍କବାଣୀ ଦିଆଯିବ। ଯଦି ସରକାର ଦେଶର ଆର୍ଥିକ ନୀତିରେ ପରିବର୍ତ୍ତନ ନଆଣନ୍ତି ତାହେଲେ ଆଗାମୀ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ଲାଗି ଉଦ୍ୟମ ଜାରି ରହିବ ବୋଲି ସିଟୁର ରାଜ୍ୟ ଉପସଭାପତି ତଥା ସିପିଆଇଏମର ରାଜ୍ୟ ଶାଖା ମୁଖ୍ୟ ଜନାର୍ଦ୍ଦନ ପତି କହିଛନ୍ତି।

 

ଶ୍ରୀ ପତିଙ୍କ କହିବାନୁଯାୟୀ, ଶ୍ରମିକ ସଂଗଠନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେମାନେ ଧର୍ମଘଟକୁ ସମର୍ଥନ କରିବାକୁ ରାଜି ଥିବା ଶ୍ରୀ ପତି କହିଛନ୍ତି। ଧର୍ମଘଟରେ ବିଭିନ୍ନ ସଂଗଠନ ସାମିଲ ହେଉଥିବାରୁ ଦେଶରେ ଟ୍ରେନ ଏବଂ ବସ ଚଳାଚଳ ଗୁରୁତର ବ୍ୟାହତ ହେବା ଆଶଙ୍କା ରହିଛି। ମୋଦୀ ସରକାର ବିଭିନ୍ନ ସରକାରୀ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରି ସେଗୁଡ଼ିକୁ ଘରୋଇକରଣ କରୁଛନ୍ତି। ମେକ୍ ଇନ୍ ଇଣ୍ଡିଆ ପାଇଁ ଜମି ଅଧିଗ୍ରହଣ ଆଇନରେ ପରିବର୍ତ୍ତନ ଆଣି ଶିଳ୍ପ ପାଇଁ କୃଷକଙ୍କ ଜମି ଅଧିଗ୍ରହଣ କରୁଛନ୍ତି। ଶ୍ରମ ଆଇନ, ମୋଟର ଯାନ ଆଇନରେ ପରିବର୍ତ୍ତନ ଆଣିଛନ୍ତି। ଦେଶରେ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏଥିସହିତ ଶ୍ରମିକଙ୍କ ମାସିକ ବେତନ ଅତିକମରେ ୧୮ ହଜାର ଟଙ୍କା କରିବା ଲାଗି ଦାବିରେ ଧର୍ମଘଟ କରାଯାଉଛି ବୋଲି ଶ୍ରୀ ପତି କହିଛନ୍ତି।