ବଳ କଷୁଛି ବିଜେପି, କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା । ୨୦୨୪ ପାଇଁ ମିସନ ମୋଡରେ କାମ କରିବ ଦଳ ।

147

କନକ ବ୍ୟୁରୋ: ବିଜେଡି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ବିଜେପି ବି ଓଡିଶା ଉପରେ ଫୋକସ କରିଛି । ଭାରତୀୟ ଜନତା ପାର୍ଟି ମିଶନ ଓଡିଶା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତତିରେ ଲାଗିଛି । ରାଜ୍ୟକୁ ଦୁଇ ଦିନ ଭିତରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ, ଓଡିଶାକୁ ବିଜେପି କେତେ ଗୁରୁତ୍ୱ ଦେଉଛି ତାହା ଦର୍ଶାଉଛି ।

  • ବିଜେପି ଫୋକସରେ ଓଡିଶା 
  • ମିଶନ ୨୦୨୪ ପାଇଁ ବିଜେପିର ପ୍ରସ୍ତୁତି 
  • ଦୁଇ ଦିନରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତ   

ମିଶନ ୨୦୨୪କୁ ସଫଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତ ବିଜେପି ଶିବିରକୁ ଚଳଚଞ୍ଚଳ କରିଛି । କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି । ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ୱର ପହଞ୍ଚି ସାରିଛନ୍ତି । ସେହିପରି ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଶନିବାର ଆସିବେ କେନ୍ଦ୍ର ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିତ ପରମାଣିକ । ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ଯାଇ ଦଳର ସାଂଗଠନିକ ସ୍ଥିତି ସମୀକ୍ଷା କରିବେ ୭ କେନ୍ଦ୍ରମନ୍ତ୍ରୀ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦୀୟ କ୍ଷେତ୍ର ଉପରେ ଫୋକସ କରିବ ବିଜେପି । ସେଇଥିପାଇଁ ଦୁଇ ଦିନରେ ୭ କେନ୍ଦ୍ରମନ୍ତ୍ରୀ ଓଡିଶା ଆସିଛନ୍ତି…

  • କେନ୍ଦ୍ରମନ୍ତ୍ରୀ ମାନେ ବିଭିନ୍ନ ଲୋକସଭା କ୍ଷେତ୍ରକୁ ଯାଇ ସମୀକ୍ଷା କରିବେ
  • ସଂସଦୀୟ କ୍ଷେତ୍ରରେ ୭୫ ଘଣ୍ଟା ରହିବେ କେନ୍ଦ୍ରମନ୍ତ୍ରୀ
  • ତୃଣମୂଳସ୍ତରରୁ ସଙ୍ଗଠନର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ
  • କେନ୍ଦ୍ରୀୟ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ୍ ଗୁରୁତ୍ୱ ଦିଆଯିବ

୨୦୧୯ ନିର୍ବାଚନରେ ୩୨ ପ୍ରତିଶତ ଭୋଟ ପାଇଥିବା ବିଜେପି ଏଥର ନିର୍ବାଚନୀ ପ୍ରୟୋଗଶାଳା ଭାବେ ଓଡିଶାକୁ ବାଛିଛି । ବିଜେପି ଚାଣକ୍ୟ ଅମିତ ଶାହାଙ୍କ ପରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଓ ଚଳିତ ମାସ ଶେଷରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ସୂଚାଉଛି, ୨୦୨୪ ନିର୍ବାଚନକୁ  ବିଜେପି ଏକ ଚାଲେଞ୍ଜ ଭାବେ ଗ୍ରହଣ କରିଛି ।