ଆଗରେ ବିଧାୟକ ପଛରେ ବୈଜୟନ୍ତ : କୋବିନ୍ଦଙ୍କ ବୈଠକରେ ସବା ପଛରେ ବସିଲେ କେନ୍ଦ୍ରାପଡ଼ା ସାଂସଦ

38

କନକ ବ୍ୟୁରୋ : ବିଜେଡି ଭିତରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସ୍ଥାନ ପୂରା ପଛକୁ ଚାଲିଯାଇଛି । ଆଜି ବିଧାନସଭାର ସମ୍ମିଳନୀ କକ୍ଷରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସମର୍ଥନରେ ବିଜେଡିର ବିଧାୟକ ଓ ସାଂସଦମାନେ ଏକାଠି ହୋଇଥିଲେ । ଏହି ବୈଠକରେ ସବା ପଛ ଧାଡିରେ ବସିଥିଲେ କେନ୍ଦ୍ରାପଡ଼ା ସାଂସଦ । ଏପରିକି କିଛି ଯୁବ ବିଧାୟକ ଆଗ ଧାଡିରେ ବସିଥିବାର ଦେଖିବାକୁ ମିଳିଥିଲା । ଏବେ ପ୍ରଶ୍ନ ଉଠୁଛି, ଦଳରେ କଣଠେସା ହୋଇଗଲେ କି ବୈଜୟନ୍ତ ।

ଏକଦା ବିଜେଡି ରାଜନୀତିରେ ବେଶ ପ୍ରଭାବଶାଳୀ ଥିଲେ କେନ୍ଦ୍ରାପଡ଼ାର ଏହି ନେତା । ଦଳୀୟ ସଭା ସମିତିରେ ତାଙ୍କର ଦବଦବା ଦେଖିବାକୁ ମିଳିଥିଲା । ହେଲେ ପଂଚାୟତ ନିର୍ବାଚନ ପରେ ବଦଳି ଯାଇଛି ବିଜେଡିର ରାଜନୀତି । ଟ୍ୱିଟ୍ ଓ ଖବରକାଗଜରେ ଦଳ ଓ ଦଳୀୟ ନେତୃତ୍ୱ ବିରୋଧରେ ବାରମ୍ବାର ଲେଖିବା ତାଙ୍କ ପାଇଁ ମହଙ୍ଗା ପଡିଥିବା ଦେଖିବାକୁ ମିଳିଛି ।

ରାମନାଥ କୋବିନ୍ଦ ଓ ନବୀନ ପଟ୍ଟନାୟକ ଯେଉଁ ଧାଡିରେ ବସିଛନ୍ତି, ସେହି ଧାଡିରେ ଦେଖିବାକୁ ମିଳିଛି ସାଂସଦ ତଥାଗତ ଶତପଥୀ ଓ ଭର୍ତୃହରି ମହତାବଙ୍କୁ । ଏପରିକି ସାଂସଦ ପ୍ରସନ୍ନ ପାଟଶାଣୀ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ପ୍ରଥମ ଧାଡିରେ ବସିଛନ୍ତି । ମାତ୍ର ପଛ ଧାଡିକୁ ଚାଲିଯାଇଛି ଏହି ପାୱାଲଫୁଲ ନେତାଙ୍କ ସିଟ୍ । ସତେ ଯେପରି ସେ ପୂରା ଅଲୋଡା ହୋଇ ପଡିଛନ୍ତି ଦଳ ପାଇଁ ।

ଦେଖନ୍ତୁ ଏହି ଭିଡ଼ିଓ –