ପଡ଼ିଲା ହାତଗଣ୍ଠି, ସରିଲା ବାହାଘର: ହେଲେ ବିଦାୟୀ ବେଳକୁ ପ୍ରେମିକ ସହ ଫେରାର ହୋଇଗଲେ ନବବଧୂ

3,843

କନକ ବ୍ୟୁରୋ: ପଡ଼ିଲା ହାତଗଣ୍ଠି, ସରିଲା ବାହାଘର ହେଲେ ବିଦାଇ ବେଳକୁ ଫେରାର ହେଇଗଲେ କନ୍ୟା । ଫେରାର ହେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କନ୍ୟା ଘରୁ ବାହାରି ଜଣେ ବ୍ୟକ୍ତିଙ୍କ ବାଇକରେ ବସି ଚାଲିଯାଉଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ଦେଓଗାଁ ବ୍ଲକରେ ଘଟିଛି ଏହି ଘଟଣା । ରୀତିନୀତି ଅନୁସାରେ ଗତକାଲି ରାତିରେ ବିବାହ ସମ୍ପନ୍ନ ହେଲା । ବିବାହ ଭୋଜିରେ ସମ୍ପର୍କୀୟ ଓ ଅତିଥି ମଧ୍ୟ ସାମିଲ ହୋଇଥିଲେ । ହେଲେ ଶେଷ ମୂହୁର୍ତରେ କନ୍ୟା ବରକୁ ଛାଡ଼ି ଫେରାର ହୋଇଛନ୍ତି । ମୁକୁନ୍ଦପୁର ଗାଁରେ ପ୍ରେମ କୁମାର ମାଝୀଙ୍କ ବିବାହ ବ୍ରାହ୍ମଣ ପଡ଼ାର ସୁରେନ୍ଦ୍ର ମହାକୁଡ଼ଙ୍କ ଝିଅ ଲିଜା ମହାକୁଡ଼ଙ୍କ ସହିତ ଠିକ୍ ହୋଇଥିଲା । ଏବଂ ରାତିନୀତି ଅନୁସାରେ ବେଦୀରେ ହାତଗଣ୍ଠି ପଡ଼ି କନ୍ୟାର ବାସଭବନରେ ବିବାହ ମଧ୍ୟ ଶେଷ ହୋଇଥିଲା ।

ବରପକ୍ଷ ଏବଂ ଅତିଥିଙ୍କ ପାଇଁ ବିବାହ ଭୋଜିର ମଧ୍ୟ ଆୟୋଜନ ହୋଇଥିଲା । ଝିଅ ବିଦା ବେଳକୁ ଘର ଲୋକ ଯେତେବେଳେ ଝିଅଙ୍କୁ ଖୋଜିଥିଲେ ସେତେବେଳେ ପାଇନଥିଲେ । ପରେ ଜାଣିବାକୁ ପାଇଥିଲେ ଝିଅ ଅନ୍ୟକାହା ସହ ଫେରାର ହୋଇଯାଇଛି । ଘଟଣାକୁ ନେଇ ବରପକ୍ଷ ଓ କନ୍ୟା ପକ୍ଷ ଲୋକ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ବିବାହ ପାଇଁ ସୁନା ଅଳଙ୍କାର ସହିତ ଅନ୍ୟାନ୍ୟ ଜିନିଷ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ପରିବାର ଲୋକ । ହେଲେ ଏଭଳି ସ୍ଥିତିରେ ଶେଷ ମୁହୂର୍ତରେ କନ୍ୟାଙ୍କ ଫେରାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ଦୁଇ ପରିବାର ଭିତରେ ଦୁଃଖ ଓ ଅସନ୍ତୋଷ ଦେଖାଦେଇଛି ।