ପୁଣି କୋଟିଆରେ ପଶିଲା ଆନ୍ଧ୍ର : ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଅଧିକାରୀ ସର୍ଭେ କରୁଥିବା ବେଳେ କଡ଼ା ଜବାବ ଦେଲେ ପଟାଙ୍ଗୀ ବିଧାୟକ

ସର୍ଭେ କାମ ଅଧାରୁ ଛାଡ଼ି ଚାଲିଗଲେ ଆନ୍ଧ୍ର ଅଧିକାରୀ

78

କନକ ବ୍ୟୁରୋ : ଚୁପଚାପ ଆନ୍ଧ୍ର କରୁଥିଲା ସର୍ଭେ । କୋଟିଆରେ ମେଗା ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପରିକଳ୍ପନା କରିଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଗୁପ୍ତ ଭାବେ ଚଲାଇଥିଲା ସର୍ଭେ । ଆନ୍ଧ୍ରର ଏହି ଲୁଚାଛପା କାରସାଦି ସାମ୍ନାକୁ ଆସିବା ପରେ କଡ଼ା ବିରୋଧର ସମ୍ମୁଖୀନ ହୋଇଛି। ସର୍ଭେ କରୁଥିବା ଆନ୍ଧ୍ର ଅଧିକାରୀ ଏବଂ ଘରୋଇ କଂପାନିର ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ପଟାଙ୍ଗି ବିଧାୟକ । ବହୁ ସମୟ ଧରି ଯୁକ୍ତିତର୍କ ବି ହୋଇଥିଲା । ଯାହାକି ନୂଆବର୍ଷ ପୂର୍ବରୁ କୋଟିଆ ପରିବେଶକୁ ଉଷ୍ମ କରିଛି ।

ସୂଚନା ଅନୁଯାୟୀ, କୋଟିଆ ଅଞ୍ଚଳରେ ଜଳ ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ ଆନ୍ଧ୍ର ଆରମ୍ଭ କରିଛି । ତେଣୁ ଟାଟା ପା‌ୱାର କନ୍‌ସଲଟେନ୍ସି ଏଜେନ୍ସିର ବରିଷ୍ଠ ଅଧିକାରୀ, ଆଦାନୀ ଗ୍ରୁପର ବରିଷ୍ଠ ଅଧିକାରୀ ଆଲୋକ ଶର୍ମା, ବେଙ୍ଗାଲୁରୁ ଟିସିଏସ୍‌ରୁ ଜେ.ଜୟରାମ ଓ ଶିବରାମ, ଚାୱାଲା କମ୍ପାନିର ବରିଷ୍ଠ ଅଧିକାରୀ ନିତେଶ ଚାୱାଲା, ବିଜୟନଗରମ୍‌ ଜିଲ୍ଲା ସଂଯୋଜକ ବିଜୟରାଜୁ ପ୍ରମୁଖ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖୁଥିଲେ ।

ଅହମ୍ମଦାବାଦ ଓ ବିଶାଖାପାଟଣା ନୂତନ ନବୀକରଣଯୋଗ୍ୟ ଶକ୍ତି ବିକାଶ ନିଗମର ବରିଷ୍ଠ ଅଧିକାରୀ ବି ଏହି ଟିମ୍‌ରେ ସାମିଲ ଥିଲେ । ବିଶାଳ ପ୍ରକଳ୍ପ କରିବାକୁ ଯାଉଥିବା ବେଳେ ଏ ନେଇ ପୂର୍ବରୁ କାହାକୁ କିଛି ଅବଗତ କରାଯାଇନାହିଁ । ଏପରିକି କୋଟିଆବାସୀ ମଧ୍ୟ ପ୍ରକଳ୍ପ ସଂପର୍କରେ ଆଦୌ କିଛି ଜାଣିନାହାନ୍ତି । ଆନ୍ଧ୍ରର ଏଭଳି ଏକ ପାଖିଆ ନିଷ୍ପତ୍ତି ନେଇ ଓଡ଼ିଶାରେ ପଶିଥିବା ଖବର ପାଇ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ପହଞ୍ଚି ଯାଇଥିଲେ । ଅଭିସନ୍ଧି ରଖି ସର୍ଭେ କରୁଥିବାରୁ କଡ଼ା ପ୍ରତିବାଦ କରିଥିଲେ । ତୁରନ୍ତ ସ୍ଥାନ ଛାଡ଼ି ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।

ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ କୋଟିଆ ଥାନା ସିଆଇ ରୋହିଣୀ ପତିଙ୍କ ସହ ବିଜୟନଗର ଜିଲ୍ଲା ନୂତନ ନବୀକରଣଯୋଗ୍ୟ ଶକ୍ତି ବିକାଶ ନିଗମର ବରିଷ୍ଠ ଅଧିକାରୀ କୋଟିଆରେ ପଶିଥିଲେ । ସାଲୁର ଏବଂ କୋଟିଆରେ ପମ୍ପ୍‌ଡ ଷ୍ଟୋରେଜ୍‌ ପାୱାର ପ୍ରୋଜେକ୍ଟ କରିବାକୁ ପ୍ରାଥମିକ ସର୍ଭେ କରିଥିଲେ। ତାଡ଼ିବାଲସା ଏବଂ ନାରେଡିବାଲସା ଦେଇ ଯାଇଥିବା ହେରିଟେଜ୍‌ ରୋଡ୍‌ରେ ଏହି ପ୍ରକଳ୍ପ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ପାହାଡ଼ିଆ ନଦୀର ଜଳକୁ ସଂରକ୍ଷଣ କରି ପାଖାପାଖି ଶହେ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ପାଇଁ ଯୋଜନା ରହିଛି। ୪ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରହିଥିବାରୁ ଆନ୍ଧ୍ରର ଅଧିକାରୀ ବାରମ୍ବାର ଏହି ଅଞ୍ଚଳକୁ ଆସୁଛନ୍ତି। ଯଦି ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯାଏ ତେବେ ଓଡ଼ିଶା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଜଣାପଡ଼ିଛି ।