ମହାତ୍ମା ଗାନ୍ଧୀଙ୍କ ସହ ନରେନ୍ଦ୍ର ମୋଦୀଙ୍କୁ ତୁଳନା କଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଜାଣନ୍ତୁ କ’ଣ କହିଲେ ?

421

କନକ ବ୍ୟୁରୋ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି । ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦୀ ଜଣେ ନେତା ଯେ କି ଲୋକଙ୍କ ଭାବନାକୁ ବୁଝି ପାରୁଛନ୍ତି । ଏହାର କାରଣ ଭାବେ ରାଜନାଥ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ସିଧା ସଳଖ ଲୋକଙ୍କ ସହ ଯୋଡି ହେଉଥିବାରୁ ଲୋକମାନେ ତାଙ୍କ ଉପରେ ଭରସା କରୁଛନ୍ତି । ବରିଷ୍ଠ ସାମ୍ବାଦିକ ଅଜୟ ସିଂଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଆର୍କିଟେକ୍ଟ ଅଫ୍ ଦି ନ୍ୟୁ ବିଜେପି : ହାଉ ନରେନ୍ଦ୍ର ମୋଦୀ ଟ୍ରାନ୍ସଫର୍ମ ଦ ପାର୍ଟି’ର ଉନ୍ମୋଚନ ଅବସରରେ ଏଭଳି କରିଛନ୍ତି ରାଜନାଥ ସିଂ । ରାଜନାଥ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଶାସନ ଓ ସଂଗଠନାତ୍ମକ କ୍ଷମତାକୁ ପ୍ରଶଂସା କରିବା ସହ ସମକାଳୀନ ରାଜନୀତିରେ ମୋଦୀଙ୍କ ସହ କେହି ନେତା ସମାନ ନୁହେଁ ବୋଲି କହିଛନ୍ତି ।

ରାଜନାଥ ସିଂ ମୋଦୀଙ୍କୁ ଅନେକ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ଆଦର୍ଶ ଉପରେ କୌଣସି ଆପେଷ ବୁଝାମଣା ନକରି ମୋଦୀ ତାଙ୍କ ନବସୃଜନ ସାହାଯ୍ୟରେ ବିଜେପିକୁ ଏକ ‘ନିର୍ବାଚନ ବିଜେତା ମେସିନ’ କରିପାରିଛନ୍ତି । ସାଂଗଠନିକ ଦକ୍ଷତା, ଜନ ସାଧାରଣଙ୍କ ସହ ସିଧା ସଳଖ ଯୋଗାଯୋଗ ଏବଂ ସେମାନଙ୍କ ସମସ୍ୟା ବାବଦରେ ତୃଣମୂଳ ସ୍ତରର ବୁଝାମଣା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଥିବା କଥା ସେ କହିଛନ୍ତି ।

ରାଜନାଥ ସିଂଙ୍କ ମତରେ ମୋଦୀଙ୍କ ପାଖରେ ଥିବା ସାଂଗଠନିକ କ୍ଷମତା କୌଣସି ଦୈବ୍ୟ ଶକ୍ତି ବିନା ଅସମ୍ଭବ । ଜନତାଙ୍କ ସହ ଯୋଡି ହୋଇ ରହିବା, ଲୋକଙ୍କ ସମସ୍ୟାକୁ ତୃଣମୂଳ ସ୍ତରରୁ ସମାଧାନ କରିବା ଓ ଦେଶକୁ ମଜବୁତ କରିବାର କ୍ଷମତା ଯୋଗୁଁ ସେ ଆଜି ବିଶ୍ୱ ସ୍ତରୀୟ ନେତା ଭାବେ ପରିଚୟ ପାଇଥିବା କଥାକୁ ରାଜନାଥ ଦୋହରାଇ ଥିଲେ ।