ପୁଣି ଆରସିବି କ୍ୟାମ୍ପକୁ ଫେରିବେ ଏବି ଡିଭିଲିୟର୍ସ, ବେଙ୍ଗାଲୁରୁରେ ପହଞ୍ଚିଲେ ମିଷ୍ଟର ୩୬୦ ଡିଗ୍ରୀ । ଜାଣନ୍ତୁ କେଉଁ ଭୂମିକାରେ ଆସିବେ ନଜର?

893

କନକ ବ୍ୟୁରୋ : ଆଇପିଏଲର ଆଗାମୀ ସିଜିନ ପାଇଁ ଆହୁରି ଅନେକ ଦିନ ବାକି ଅଛି । କିନ୍ତୁ ଏହାପୂର୍ବରୁ ଆଇପିଏଲର ଲୋକପ୍ରିୟ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଆସିଛି ଖୁସି ଖବର । କାରଣ ପୁଣିଥରେ ଆରସିବି କ୍ୟାମ୍ପକୁ ଫେରୁଛନ୍ତି ମିଷ୍ଟର ୩୬୦ ଡିଗ୍ରୀ ଏବି ଡିଭିଲିୟର୍ସ । ଆଇପିଏଲର ମିନି ନିଲାମୀ ପୂର୍ବରୁ ଭାରତ ଆସିଛନ୍ତି ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ ଖେଳାଳୀ । ତେବେ କ୍ରିକେଟରୁ ଅବସର ନେଇ ସାରିଥିବା ଡିଭିଲିୟର୍ସ ପୁଣିଥରେ ମୈଦାନକୁ ଫେରିବେ କି? ପୁଣିଥରେ ପଡିଆରେ ଦେଖିବାକୁ ମିଳିବ କି ଡିଭିଲିୟର୍ସ ସୋ’ । ଏଭଳି ଅନେକ ପ୍ରଶ୍ନ ଏବେ ଆରସିବି ପ୍ରଂଶସକଙ୍କ ମନରେ ଉଙ୍କି ମାରୁଛି । ଆଉ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏହାର ଉତ୍ତର ରଖିଛନ୍ତି ଡିଭିଲୟର୍ସ ।

ଆରସିବି ପକ୍ଷରୁ ଜାରି କରାଯାଇଥିବା ଭିଡ଼ିଓରେ ଡିଭିଲିୟର୍ସ କହିଛନ୍ତି, ଆଗାମୀ ଆଇପିଏଲ ସିଜିନ ପାଇଁ ଆରସିବି ଟିମ ସହ କିଛି ଆଲୋଚନା କରିବାକୁ ଆସିଛି । ଆରସିବିକୁ ସମର୍ଥନ କରିବାକୁ ଆସିଛି । ବେଙ୍ଗାଲୁରୁକୁ ଫେରି ବହୁତ ଖୁସି ଲାଗୁଛି ଏବଂ ଆଜିର ଦିନ ବହୁତ ଭଲ ଯାଇଛି । ଡିଭିଲିୟର୍ସ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ଦୀର୍ଘ ବର୍ଷ ପରେ ପୁଣିଥରେ ବେଙ୍ଗାଲୁରୁରେ ରହୁଥିବା ହୋଟେଲରେ ଚେକ୍ ଇନ୍ କରିଛି । ଏହାସହ ବହୁତ ପୁରୁଣା ସ୍ମୃତି ତାଜା ହୋଇଯାଇଛି । ଏହି ହୋଟେଲରେ ୨୫ ଥର ହେବ ଚେକ୍ ଇନ୍ କରିଥିବା ନେଇ ଜାଣି ଖୁସି ହେଲି । କିଛି ଏଭଳି ଢଙ୍ଗରେ ନିଜର ଖୁସି ଜାହିର କରିଛନ୍ତି ଡିଭିଲିୟର୍ସ ।

ଆସନ୍ତା ଡିସେମ୍ବରରେ ଆଇପିଏଲର ମିନି ନିଲାମୀ ହେବାକୁ ଯାଉଛି । ଆଉ ଏଥିପାଇଁ ଟିମ୍ ଗୁଡିକ ନିଜ ତରଫରୁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଆରସିବି ମଧ୍ୟ ଏହି ରେସରେ ପଛରେ ନାହିଁ । କାରଣ କେଉଁ ଖେଳାଳୀଙ୍କୁ ରିଲିଜ କରାଯିବ ଓ କେଉଁ ଖେଳାଳୀଙ୍କୁ ଦଳରେ ସାମିଲ କରାଯିବ ସେନେଇ ଏବେଠୁ ବିଚାର ବିମର୍ଷ ଆରମ୍ଭ ହେବ । ଯାହାକୁ ଟିମ୍ ମ୍ୟାନେଜମେଣ୍ଟ ସହ ଡିଭିଲିୟର୍ସ ମଧ୍ୟ ଆଲୋଚନା କରିପାରନ୍ତି । କାରଣ ଡିଭିଲିୟର୍ସଙ୍କୁ ଗୁରୁଦାୟିତ୍ୱ ଦେଇପାରେ ଆରସିବି । ସପୋର୍ଟିଂ ଷ୍ଟାଫ୍ ରୂପେ ଡିଭିଲିୟର୍ସଙ୍କୁ ଦଳରେ ସାମିଲ କରିପାରେ ଆରସିବି । ଏହାପୂର୍ବରୁ ଡିଭିଲିୟର୍ସ ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଆଗାମୀ ବର୍ଷ ଆଇପିଏଲ ସିଜିନରେ ଆରସିବି ଟିମରେ ସାମିଲ ହେବେ । ତେବେ ଦଳରେ ତାଙ୍କୁ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।

ଏପରିକି ଡିଭିଲିୟର୍ସ କହିଥିଲେ, ଆସନ୍ତାବର୍ଷ ଚିନ୍ନାସ୍ୱାମୀ ଷ୍ଟାଡିୟମ ଯିବି କିନ୍ତୁ ମ୍ୟାଚ୍ ଖେଳିବାକୁ ନୁହେଁ । ମୁଁ ଆରସିବି ପ୍ରଂଶସକଙ୍କୁ କ୍ଷମା ମାଗିବାକୁ ଚାହୁଁଛି କାରଣ ଆମ ଟିମ୍ ଏଯାବତ୍ ଆଇପିଏଲ ଟ୍ରଫି ଜିତି ପାରିନାହିଁ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଗତ ଗୋଟିଏ ଦଶନ୍ଧୀ ଧରି ଟିମକୁ ସମର୍ଥନ କରିଥିବାରୁ ସମସ୍ତ ବେଙ୍ଗାଲୁରୁ ଫ୍ୟାନଙ୍କୁ ଧନ୍ୟବାଦ । କିନ୍ତୁ ଏବେ ମୁଁ କ୍ରିକେଟ ମୈଦାନକୁ ଫେରିପାରିବି ନାହିଁ କାରଣ ମୋର ଡାହାଣ ପଟ ଆଖି ସର୍ଜରୀ ହୋଇଛି ।

ଏସବୁ ଭିତରେ ଆରସିବି ପାଇଁ ଆଉ ଏକ ଖୁସି ଖବର ମଧ୍ୟ ସାମ୍ନାକୁ ଆସିଛି । କାରଣ ଦଳର ପୂର୍ବତନ ଅଧିନାୟକ ଏବେ ଦମଦାର ଫର୍ମରେ ରହିଛନ୍ତି । ଚଳିତ ବିଶ୍ୱକପ ଓ ଏସିଆ କପରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ସ୍କୋରର ସାଜିଛନ୍ତି କୋହଲି । ସବୁଠୁ ବଡ କଥା ହେଲା, ଏସିଆ କପରେ କୋହଲିଙ୍କ ଦମଦାର ପ୍ରଦର୍ଶନ ପରେ ପ୍ରଂଶସା କରିଥିଲେ ଡିଭିଲିୟର୍ସ । କାରଣ ଟି-୨୦ ଶତକ ହାସଲ ସହ ପୁଣିଥରେ ଫର୍ମକୁ କମବ୍ୟାକ୍ କରିଛନ୍ତି କୋହଲି ।